୨ମାସ ଅନ୍ଧାରରେ ଡୁରକାଗୁଡା ଗାଁ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ରାଜ୍ୟ ସରକାର ଗ୍ରାମିଣ ବିକାଶ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବାସ୍ତବରେ ଏହାର ସୁଫଳ ଲୋକଙ୍କ ନିକଟରେ ପହଛିପାରୁନାହିଁ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ପଞ୍ଚାୟତ ସ୍ଥିତ ଡୁରୁକାଗୁଡା ଗ୍ରାମରେ ଆଜିକୁ ପ୍ରାୟ ଦୁଇ ମାସ ରୁ ଅଧିକ ଦିନ ହେବ ବିଦ୍ୟୁତ ସେବା ଅଚଳ ହୋଇପଡିଛି। ଏହି ଟ୍ରାନ୍ସଫର୍ମର ଉପରେ ପ୍ରାୟ ଗ୍ରାମର ୪୫ ରୁ ଅଧିକ ପରିବାର ନିର୍ଭର କରନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଟାଟା ନାମକ ଏକ କମ୍ପାନୀ ଆନ୍ଧ୍ରର ଏକ ଠିକାଦାରଙ୍କୁ ଏହି କାମ ସମ୍ପୂର୍ଣ୍ଣ କରିବାକୁ ଦେଇଥିଲା। ଯେହେତୁ ପୂର୍ବରୁ ଗ୍ରାମବାସୀ ଅନ୍ଧକାର ଭାବେ ଜୀବନ ବିତାଉଥିଲେ ଆଲୋକୀକରଣ ଆଶା ପାଇ ବହୁତ ଖୁସି ହୋଇଯାଇଥିଲେ। କିନ୍ତୁ ଏହାର ଫାଇଦା ନେଇଥିଲେ ଆନ୍ଧ୍ରର ସେଇ ଠିକାଦାର। ସେ ଗ୍ରାମର ସମସ୍ତ ବ୍ୟକ୍ତିଙ୍କୁ ଏହି କାମରେ ନିୟୋଜିତ କରିଥିଲେ। ସେମାନଙ୍କୁ ତାଙ୍କର ପାରିଶ୍ରମିକ ମୂଲ୍ୟ ନ ଦେଇ ସେ ଠକି ଚାଲିଯାଇଥିଲେ। ତଥାପି ଗ୍ରାମବାସୀ ଏତେ ଦିନ ଧରି ଚୁପ ରହିଥିଲେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଠିକାଦାର ନିମ୍ନମାନର ଟ୍ରାନ୍ସଫର୍ମର ବସାଇଥିବା ହେତୁ ଅଳ୍ପ ଦିନ ମଧ୍ୟରେ ଅଚଳ ହୋଇପଡିଲା। ଟ୍ରାନ୍ସଫର୍ମରଟି ଅଚଳ ହେବା ପରେ ବିଦ୍ୟୁତ ବିଭାଗ ଆସି ଟ୍ରାନ୍ସଫର୍ମରକୁ ମରାମତି କରିବ ବୋଲି ନେଇଗଲା କିନ୍ତୁ ଆଉ ମରାମତି ହୋଇ ଆସିପାରିଲା ନାହିଁ। ଏନେଇ ଗ୍ରାମବାସୀ ଟାଟା କମ୍ପାନୀକୁ ଯାଇ ବାରମ୍ବାର ଅଭିଯୋଗ କରିଥିଲେ ତଥାପି କୌଣସି ସୁଫଳ ମିଳିନଥିଲା।

ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଗତ ସେପ୍ଟେମ୍ବର ୭ ତାରିଖରେ କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ସରାବୁଙ୍କୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଆଜି ପର୍ୟ୍ୟନ୍ତ ଏହାର କୌଣସି ସୁଫଳ ମିଳିଲା ନାହିଁ । ଗ୍ରାମରେ ବିଦ୍ୟୁତ ସଂଯୋଗ ବର୍ତ୍ତମାନ ନ ଥିବା ହେତୁ ପିଲାମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏବଂ ରାତ୍ରୀ ସମୟରେ ବିଭିନ୍ନ ଜନ୍ତୁ ମଧ୍ୟ ଘର ଭିତରକୁ ପଶି ଆସୁଛନ୍ତି। ତେଣୁ ଏହାର ଯଦି କିଛି ସ୍ଥାୟୀ ସମାଧାନ ନ ହୁଏ ତାହେଲେ ଗ୍ରାମବାସୀ ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।