ରାସନ୍ କାର୍ଡ ଠକେଇକୁ ରୋକିବ ଡି-ଡୁପ୍ଲିକେସନ୍

ନୂଆଦିଲ୍ଲୀ: ମୋଦୀ ସରକାର ଆଧାର କାର୍ଡ ଏବଂ ରାସନ୍ କାର୍ଡରେ ହେଉଥିବା ଠକେଇ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅନେକ ପରିବର୍ତ୍ତନ କରୁଛନ୍ତି। ନକଲି ନାଁକୁ ପରିଖିବା ପାଇଁ ରାସନ୍ କାର୍ଡକୁ ଆଧାର ନମ୍ବର ସହିତ ଲିଙ୍କ୍ କରିବା ପରେ ସରକାର ଏବେ ଏଭଳି ଏକ ପ୍ରଣାଳୀ ଉପରେ କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ରାସନ୍ କାର୍ଡକୁ ଜାରି କରିବା ପୂର୍ବରୁ ଜାତୀୟସ୍ତରରେ ଏହାକୁ ଡି-ଡୁପ୍ଲିକେସନ୍ କରାଯିବ। ଡି-ଡୁପ୍ଲିକେସନ୍ ପରେ ହିଁ ଏହାକୁ ନୂତନ ଗ୍ରାହକମାନଙ୍କୁ ଜାରି କରାଯିବ। ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଦୁର୍ନୀତିକୁ ରୋକିବା ଲକ୍ଷ୍ୟ ରଖି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ପ୍ରଣାଳୀରେ ସରକାର ଜାତୀୟସ୍ତରୀୟ ରାସନ୍ କାର୍ଡର ଯାଞ୍ଚ କରିବେ। ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ବିଭାଗର ସଚିବ ରବିକାନ୍ତ କହିଛନ୍ତି ଯେ, ଥରେ ଏହି ପ୍ରଣାଳୀ ଲାଗୁ ହେବା ପରେ ଜାତୀୟସ୍ତରରେ ସମସ୍ତ ରାସନ୍ କାର୍ଡର ଯାଞ୍ଚ କରାଯିବ ଏବଂ ଏହାପରେ ନୂତନ ରାସନ୍ କାର୍ଡ ଜାରି କରାଯିବ। ବର୍ତ୍ତମାନ ସମୟରେ ମଧ୍ୟ ଅନେକ କ୍ଷେତ୍ରରେ ଏଭଳି ପ୍ରଣାଳୀରେ ଯାଞ୍ଚ କରାଯାଉଛି।

ଦେଶରେ ପ୍ରାୟ ୨୩.୩୦ କୋଟି ରାସନ୍ କାର୍ଡଧାରୀ ରହିଛନ୍ତି, ଯେଉଁଥିରୁ ୮୫% ଲାଭାର୍ଥୀ ସେମାନଙ୍କ ରାସନ୍ କାର୍ଡକୁ ଆଧାର ନମ୍ବର ସହିତ ଯୋଡ଼ିଛନ୍ତି। ବର୍ତ୍ତମାନ ଗ୍ରାମୀଣ କ୍ଷେତ୍ରର ୭୫% ଏବଂ ସହରାଞ୍ଚଳର ୫୦% ଭାଗ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ, ୨୦୧୩ (ଏନ୍ଏଫ୍ଏସ୍ଏ) ଅଧୀନରେ ରହିଛନ୍ତି। ଜନସଂଖ୍ୟା ମୁତାବକ ଏନ୍ଏଫ୍ଏସ୍ଏ ଅଧୀନରେ ୮୧.୩୫ କୋଟି ଲୋକ ସବ୍ସିଡି ପାଇବା ପାଇଁ ହକ୍ଦାର ଅଛନ୍ତି।