ସଂସଦରେ ମୋଦୀ ସରକାରଙ୍କ ସ୍ପଷ୍ଟୋକ୍ତି: ‘ଆଧାର ସହ ସୋସିଆଲ୍ ମିଡିଆ ଆକାଉଣ୍ଟ ଲିଙ୍କ୍ ନେଇ ଯୋଜନା ନାହିଁ’

ନୂଆଦିଲ୍ଲୀ: ଆଧାର ସହିତ ସୋସିଆଲ୍ ମିଡିଆକୁ ଲିଙ୍କ୍ କରିବା ପାଇଁ ଦୀର୍ଘ ସମୟରୁ ଦାବି ହୋଇଆସୁଥିଲେ ମଧ୍ୟ ଏଭଳି କୌଣସି ଯୋଜନା ନାହିଁ ବୋଲି ଲୋକସଭାରେ କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି। ଏହା ପୂର୍ବରୁ ଅକ୍ଟୋବରରେ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବା ନେଇ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରାଯାଇଥିଲା। ମାତ୍ର କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ସୋସିଆଲ୍ ମିଡିଆ ସହ ଆଧାର କାର୍ଡକୁ ଲିଙ୍କ୍ କରିବା ପ୍ରସଙ୍ଗ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଛି। ଏହାଦ୍ୱାରା ଭୁଲ୍ ଖବରର ପ୍ରଚାର ପ୍ରସାର ଉପରେ ଅଙ୍କୁଶ ଲଗାଇହେବ ବୋଲି ଦାବି କରାଯାଉଛି।

ବିଜେପି ନେତା ଏବଂ ଓକିଲ ଅଶ୍ୱନୀ କୁମାର ଉପାଧ୍ୟାୟଙ୍କ ତରଫରୁ ଦାୟର କରାଯାଇଥିବା ପିଟିସନରେ କୁହାଯାଇଥିଲା ଯେ, ଆଧାର କାର୍ଡ ସହ ସୋସିଆଲ୍ ମିଡିଆକୁ ଲିଙ୍କ୍ କରିବା ଦ୍ୱାରା ନକଲି ତଥା ଭୁଲ୍ ଖବର ଏବଂ ନକଲି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ। ଏହା ପୂର୍ବରୁ ଫେସବୁକ୍, ଟ୍ୱିଟର ସମେତ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଆଧାର ସହ ଲିଙ୍କ୍ ପ୍ରସଙ୍ଗକୁ ନେଇ ହୋଇଥିବା ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ ସୋସିଆଲ୍ ମିଡିଆ ଲିଙ୍କିଙ୍ଗକୁ ନେଇ ସରକାର କେତେକ ନିର୍ଦ୍ଦେଶାବଳୀ ଜାରି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଏହା ଠିକ୍, କିନ୍ତୁ ଜନସାଧାରଣଙ୍କ ଗୋପନୀୟତା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କୋର୍ଟ ସେତେବେଳେ କହିଥିଲେ। ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋସ୍ ଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କୋର୍ଟଙ୍କ ସଙ୍ଗେସଙ୍ଗେ ସରକାର ଏବଂ ଆଇଟି ବିଭାଗକୁ ମଧ୍ୟ ଏହାର ସମାଧାନର ବାଟ ଖୋଜିବା ଲାଗି ଜଷ୍ଟିସ୍ ଗୁପ୍ତା କହିଥିଲେ।