ଆଜି ଷଷ୍ଠ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର

ପାଟନା,ଏନ୍ଏନ୍ଏସ୍: ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ପଦରେ ବସିବେ ନୀତୀଶ କୁମାର। ଷଷ୍ଠ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର। ଆଉ କ୍ରମାଗତ ଭାବରେ ଚତୁର୍ଥ ଥର ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ। ଆଜି ଅନୁଷ୍ଠିତ ହୋଇଥିବା ଏନଡିଏ ବୈଠକରେ ବିଧାୟକଙ୍କ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନୀତୀଶ କୁମାର। ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ଆଜି ରାଜଭବନରେ ରାଜ୍ୟପାଳ ଫଗୁ ଚୌହ୍ଵାନଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି। ସୁଶୀଲ ମୋଦି ପୁଣି ଉପମୁଖ୍ୟମନ୍ତ୍ରୀ ହେବା ନେଇ ସ୍ଥିର ହୋଇଛି।

ବିହାର ରାଜଧାନୀ ପାଟନାରେ ବସିଥିବା ଏନଡିଏ ବିଧାୟକଙ୍କ ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ। ତାଙ୍କ ସହ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମଧ୍ୟ ବୈଠକରେ ସାମିଲ ଥିଲେ। ଏହାସହ ମନ୍ତ୍ରିମଣ୍ଡଳ ରୂପରେଖ ନେଇ ବି ଆଲୋଚନା ହୋଇଥିବା ସୂଚନା ମିଳିଛି। ଏଥର ବିଧାନସଭା ନିର୍ବାଚନରେ ଜେଡିୟୁଠାରୁ ଅଧିକ ୩୧ଟି ଆସନରେ ବିଜେପି ବିଜୟୀ ହୋଇଛି। ବିଜେପି ୭୪ ଆସନରେ ବିଜୟୀ ହୋଇଥିବା ବେଳେ ଜେଡିୟୁ ୪୩ଟି ଆସନ ପାଇଥିଲା। ଯେବେକି ଏନଡିଏକୁ ମିଳିଛି ୧୨୫ ଆସନ।