ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ସଦର ବ୍ଲକ୍ ବରଡୋଲ ପଞ୍ଚାୟତର ଡାଙ୍ଗ ନିବାସୀ ୮୮ ବର୍ଷୀୟା ବୃଦ୍ଧା ହେମ ଠାକୁରଙ୍କୁ ଭତ୍ତା ମିଳି ପାରୁ ନଥିବା ନେଇ ନିତିଦିନରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶନ ପରେ ସାମାଜିକ କର୍ମୀ ମୁକେଶ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୱିଟ କରି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଟ୍ୱିଟ ପରେ ଉକ୍ତ ବୃଦ୍ଧା ମହିଳା ହେମ ଠାକୁରଙ୍କୁ ଭତ୍ତା ପ୍ରଦାନ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ଏ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଯୋଗ୍ୟ ଯେ ଡାଙ୍ଗ ନଦୀପଡ଼ାର ୮୮ ବର୍ଷୀୟା ବୃଦ୍ଧା ମହିଳା ହେମ ଠାକୁରଙ୍କ ସ୍ୱାମୀଙ୍କ ୩୦ ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଥିଲା। ତାଙ୍କୁ ଅନ୍ତ୍ୟୋଦୟ ଯୋଜନାରୁ ବାଦ ଦିଆଯିବା ସହ ଭତ୍ତା ମଧ୍ୟ ହୋଇପାରୁନଥିଲା। ବୃଦ୍ଧା ହେମ ଠାକୁରଙ୍କ ଆଧାରକାର୍ଡ ନଥିବା ଏବଂ ବୃଦ୍ଧାବସ୍ଥା ଯୋଗୁଁ ଆଧାରକାର୍ଡ ନିର୍ମାଣ ପାଇଁ ଫିଙ୍ଗର ପ୍ରିଣ୍ଟ ଓ ଆଖି ସ୍କାନ ହୋଇପାରୁ ନାହିଁ। ଫଳରେ ହେମ ଠାକୁର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ରହିଥିବା ନେଇ ନିତିଦିନରେ ଖବର ପ୍ରକାଶିତ ହୋଇଥିଲା। ଅପରପକ୍ଷେ ସାମାଜିକ କର୍ମୀ ଶ୍ରୀ ସାହୁଙ୍କ ଟ୍ୱିଟ ପରେ ଏ ନେଇ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗଙ୍କୁ ପଦକ୍ଷେପ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ସାମାଜିକ କର୍ମୀ ଶ୍ରୀ ସାହୁଙ୍କ ଏପରି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।