ଜାମନଗର ହେଉଛି ରିଲାୟନ୍ସର ଆତ୍ମା: ନୀତା ଅମ୍ବାନୀ

ମୁମ୍ବାଇ,ଏଜେନ୍ସି: ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଜାମନଗର ରିଫାଇନାରୀକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ଜାମନଗରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ରିଲାୟନ୍ସ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ନୀତା ଅମ୍ବାନୀ ଏକ ଭାବବିହ୍ୱଳ ଓ ହୃଦୟସ୍ପର୍ଶୀ ଭାଷଣ ଦେଇଛନ୍ତି। ସେ ତାଙ୍କ ପରିବାର ସଦସ୍ୟ, ରିଫାଇନାରୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟକୁ ସମ୍ବୋଧିତ କରି କହିଛନ୍ତି, ‘ଜାମନଗର କେବଳ ଏକ ଜାଗା ନୁହେଁ ବରଂ ଏହା ରିଲାୟନ୍ସର ଆତ୍ମା। ଏହା ଆମ ହୃଦୟରେ ଗଭୀର ଭାବେ ବସିଛି। କୋକିଳା ମମ୍ମୀଙ୍କ ପାଇଁ ଏହା ଜନ୍ମଭୂମି। ଏହା ତାଙ୍କ  ମୂଳ ଆଧାର ଓ ମୂଲ୍ୟବୋଧକୁ ପ୍ରତିନିଧିତ୍ୱ କରୁଛି। ସେ ଆଜି ଆମ ସହ ଅଛନ୍ତି ଏବଂ ସବୁକିଛି ତାଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଛି।’

ଶ୍ୱଶୁର ଧୀରୁଭାଇ ଅମ୍ବାନୀଙ୍କୁ ମନେ ପକାଇ ନୀତା ଅମ୍ବାନୀ କହିଛନ୍ତି ଯେ ‘ପାପା ଧୀରୁଭାଇ ଅମ୍ବାନୀଙ୍କ ପାଇଁ ଜାମନଗର କର୍ମଭୂମି, ସ୍ୱପ୍ନ ଓ ଲକ୍ଷ୍ୟସ୍ଥଳ ଥିଲା। ଏହା ତାଙ୍କ କର୍ତ୍ତବ୍ୟ, ମନୋବଳ ଓ ଉଦ୍ଦେଶ୍ୟର ପ୍ରତିବିମ୍ବ। ମୁଁ ଆଶା କରୁଛି ତାଙ୍କ ଆଶୀର୍ବାଦ ଜାମନଗର ଏବଂ ଆମ ସହିତ ସର୍ବଦା ରହିବ। ମୁକେଶଙ୍କ ପାଇଁ ଜାମନଗର ଶ୍ରଦ୍ଧା, ଭକ୍ତି ଓ ସମ୍ମାନ୍ନର ଭୂମି। ଏଠାରେ ପାପା ବିଶ୍ୱର ସବୁଠୁ ବଡ଼ ରିଫାଇନାରୀ କମ୍ପାନୀର ସ୍ୱପ୍ନ ଦେଖିଥିଲେ ଯାହାକୁ ମୁକେଶ ବାସ୍ତବରେ ପରିଣତ କରିଛନ୍ତି। ଏହା ଆମ ପିଲା ଖାସ୍‌କରି ଅନନ୍ତଙ୍କ ପାଇଁ ସେବା ଭୂମି। ଏହା କେବଳ ଏକ ସ୍ଥାନ ନୁହେଁ, ଆମ ପରିବାରର ବିଶ୍ୱାସ ଓ ଆଶାର ସ୍ପନ୍ଦନ ହେଉଥିବା ହୃଦୟ।’