ପୁଲିସ୍ ସମ୍ମୁଖରେ ସ୍ୱାମୀଙ୍କୁ ମାଡ଼ ମାରିଲେ ପତ୍ନୀ

ନିଶ୍ଚିନ୍ତକୋଇଲି,ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ଥାନାରେ ଶୁକ୍ରବାର ରାତିରେ ଜଣେ ମହିଳା ତାଙ୍କ ସ୍ୱାମୀକୁ ମାଡ଼ ମାରୁଥିବା ଏବଂ ପୁଲିସ ଏହାକୁ ଦେଖି ଚୁପ୍ ରହିଥିବା ଭଳି ଏକ ଅଭାବନୀୟ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ନିକିରେଇ ଥାନା ଅଧୀନସ୍ଥ ବାରୋ ଗ୍ରାମର ଗଗନ ପ୍ରଧାନ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଏହାର କିଛି ଦିନ ପରେ ଗଗୁଆ ଅଞ୍ଚଳର ଅନ୍ୟଜଣେ ଯୁବତୀଙ୍କ ପ୍ରେମରେ ପଡି ପୁନର୍ବାର ତାକୁ ବିବାହ କରି ଅନ୍ୟତ୍ର ରଖିଥିଲେ। ପ୍ରଥମ ପତ୍ନୀ ଏହା ଜାଣିପାରି ଗଗନଙ୍କ ନାମରେ ନିକିରେଇ ଥାନାରେ ଅଭିଯୋଗ କରିବା ସହିତ ନିଜ ସ୍ୱାମୀ ଏବଂ ସଉତୁଣୀକୁ ଧରିବା ପାଇଁ ଛକି ରହିଥିଲେ। ଶୁକ୍ରବାର ଦିନ ଗଗନ ତାଙ୍କର ଦ୍ୱିତୀୟ ପତ୍ନୀକୁ ନେଇ ଜଗତପୁର ଯାଉଥିବା ବାଟରେ ନିଶ୍ଚିନ୍ତକୋଇଲି ବଜାରରେ ଜଳଖିଆ ଖାଇ ବାହାରୁଥିବାବେଳେ ତାଙ୍କର ପ୍ରଥମ ପତ୍ନୀଙ୍କ ଭାଇ (ଶଳା) ସହିତ ହଠାତ୍ ଭେଟ ହୋଇଥିଲା। ଅନ୍ୟଏକ ଯୁବତୀଙ୍କ ସହ ଭେଣୋଇଙ୍କୁ ଦେଖି ଶଳା ସେ କିଏ ବୋଲି ପ୍ରଶ୍ନ କରି ଉଭୟଙ୍କୁ ସେଠାରେ ଅଟକାଇବାରୁ ଶଳା ଭେଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସ୍ଥାନୀୟ ଲୋକମାନେ ଏହି ଗଣ୍ଡଗୋଳ ସମ୍ପର୍କରେ ଥାନାକୁ ଜଣାଇବାପରେ ପୁଲିସ ସମସ୍ତଙ୍କୁ ଥାନାକୁ ନେଇଯାଇଥିଲା। ଘଟଣା ସମ୍ପର୍କରେ ଜଣାପଡିବା ପରେ ନିଶ୍ଚିନ୍ତକୋଇଲି ଥାନା ପକ୍ଷରୁ ନିକିରେଇ ଥାନା ଆଇଆଇସିଙ୍କୁ ଖବର ଦିଆଯାଇଥିଲା। ଏବଂ ଗଗନର ପ୍ରଥମ ପତ୍ନୀ ମଧ୍ୟ ନିଶ୍ଚିନ୍ତକୋଇଲି ଥାନାରେ ପହଞ୍ଚିଥିଲେ। ଥାନା ମଧ୍ୟରେ ସମସ୍ତ ପୁଲିସଙ୍କ ଉପସ୍ଥିତିରେ ଏହି ୩ଜଣଙ୍କୁ ପଚରାଉଚରା କରାଯାଉଥିବା ସମୟରେ ପ୍ରଥମ ପତ୍ନୀ ଉତ୍କ୍ଷିପ୍ତ ହୋଇ ନିଜ ସ୍ୱାମୀଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ଦ୍ୱିତୀୟ ପତ୍ନୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଦୁଇପତ୍ନୀଙ୍କ ମଧ୍ୟରେ ମାଡ଼ ମରାମରି ଅସମ୍ଭାଳ ହୋଇ ଆୟତ ବାହାରକୁ ଚାଲିଯିବାରୁ ଥାନା ଏସ୍ଆଇ ନିଜ ସ୍ଥାନରୁ ଉଠି ଉଭୟଙ୍କୁ ଧମକ ଚମକ ଦେବାସହ ଠେଲାପେଲା କରି ଗଣ୍ଡଗୋଳ ବନ୍ଦ କରିଥିଲେ। ପରେ ନିକିରେଇ ଥାନା ପକ୍ଷରୁ ସମ୍ପୃକ୍ତମାନଙ୍କୁ ଆଇଆଇସି ସାଙ୍ଗରେ ନେଇଯାଇଥିଲେ। ଭିଡିଓ ଭାଇରାଲ ହେବାପରେ ଉକ୍ତ ଘଟଣାକୁ ଦେଖି ଏହି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।