ନିର୍ଭୟା ମାମଲା: ବୁଧବାର ମୁକେଶର ଶୁଣାଣି, ପୁଣି ଏକ କ୍ୟୁରେଟିଭ୍ ପିଟିସନ ଦାଖଲ

  • ତିହାର ଜେଲରେ ଦୋଷୀକୁ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ମୁକେଶ ସିଂହର ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି। ବୁଧବାର କୋର୍ଟ ଫୈସଲା ଶୁଣାଇବେ। ତେବେ ମୁକେଶର ଓକିଲ ଏକ ନୂଆ ଅଭିଯୋଗ ଆଣିଛନ୍ତି। ମୁକେଶଙ୍କୁ ତିହାର ଜେଲରେ ଯୌନ ନିର୍ଯାତନା ଦିଆଯାଉଥିବା ତାଙ୍କ ଓକିଲ ଅଞ୍ଚନ ପ୍ରକାଶ କୋର୍ଟଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଫେବୃଆରୀ ୧ରେ ଫାଶୀ ପାଇବାକୁ ଥିବା ମୁକେଶର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହୋଇଯିବା ପରେ ସେ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଛି।

ଜଷ୍ଟିସ୍ ଆର୍ ଭାନୁମତି, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରୁଛନ୍ତି। ଏଥିପୂର୍ବରୁ ଗତ ସୋମବାର ମୁକେଶଙ୍କ ଆବେଦନର ଜରୁରି ଶୁଣାଣି ଲାଗି ତାଙ୍କର ଓକିଲ ଖଣ୍ଡପୀଠଙ୍କୁ ଜଣାଇଥିଲେ। ଖଣ୍ଡପୀଠ କହିଥିଲେ, ଫାଶୀ ଆସାମୀଙ୍କ ଆବେଦନର ଶୁଣାଣିକୁ ଅଗ୍ରାଧିକାର ଦିଆଯିବ। ଗତ ଜାନୁଆରୀ ୧୪ରେ ମୁକେଶ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରାଯାଇଥିଲା। ମାତ୍ର ୪ ଦିନ ପରେ ଜାନୁଆରୀ ୧୭ରେ ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିଦେଇଥିଲେ।

୨୦୧୨ ଡିସେମ୍ବର ୧୬ ରାତିରେ ଦକ୍ଷିଣ-ଦିଲ୍ଲୀରେ ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣଦୁଷ୍କର୍ମ କରାଯାଇ ତଳକୁ ଫିଙ୍ଗି ଦିଆଯାଇଥିଲା। ଏହାପରେ ତାଙ୍କର ସିଙ୍ଗାପୁରସ୍ଥିତ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସମ୍ପୃକ୍ତ ୬ ଜଣଙ୍କ ମଧ୍ୟରୁ ୪ ଜଣ – ବିନୟ ଶର୍ମା, ମୁକେଶ କୁମାର, ଅକ୍ଷୟ ଠାକୁର ସିଂହ ଓ ପବନ ଗୁପ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଫାଶୀ ଦଣ୍ଡାଦେଶ ହୋଇଛି। ସେମାନଙ୍କୁ ପୂର୍ବରୁ ଜାନୁଆରୀ ୨୨ରେ ଫାଶୀ ଦିଆଯିବା ଲାଗି ଡେଥ୍ ୱାରେଣ୍ଟ୍ (ମୃତ୍ୟୁ ପରୱାନା) ଜାରି ହୋଇଥିଲା। ମାତ୍ର ସେମାନଙ୍କ ଆବେଦନ ବିଚାରାଧୀନ ରହିବାରୁ ଫେବୃଆରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବା ଲାଗି ସାନି ଡେଥ୍ ୱାରେଣ୍ଟ୍ ଜାରି ହୋଇଛି।