‘ମୋ ପୁଅକୁ କ୍ଷମା କରିଦିଅ’: ଫାଶୀ ପାଇବା କଥା ଶୁଣି କାନ୍ଦି ପକାଇଲେ ଦୁଷ୍କର୍ମୀଙ୍କ ମା’

ନୂଆଦିଲ୍ଲୀ: ‘ମୋ ପୁଅକୁ କ୍ଷମା କରିଦିଅ’: ଦିଲ୍ଲୀ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ରାୟ ଦେବା ପୂର୍ବରୁ ଅନ୍ୟତମ ଦୋଷୀ ମୁକେଶ ସିଂହଙ୍କ ମା’ ନିର୍ଭୟାଙ୍କ ମା’ ଆଶା ଦେବୀଙ୍କ ପାଖକୁ ଚାଲିଯାଇ ଶାଢ଼ିର କାନି ପତାଇ ‘ମୋ ପୁଅକୁ କ୍ଷମା କରିଦିଅ’ ବୋଲି କହିଥିଲେ। ତେବେ ଆଶା ଦେବୀ ଏହାର ଜବାବରେ କହିଲେ, ‘ମୋର ମଧ୍ୟ ଝିଅଟିଏ ଥିଲା। ତା’ ପ୍ରତି ଯାହାକିଛି ହେଲା ମୁଁ କିପରି ସେସବୁ ଭୁଲିଯିବି? ମୁଁ ନ୍ୟାୟ ପାଇଁ ୭ ବର୍ଷ ଧରି ଅପେକ୍ଷା କରିଛି।’ କୋର୍ଟରେ ଏହି ଦୃଶ୍ୟ ଏକ ଭାବଗମ୍ଭୀର ପରିବେଶ ସୃଷ୍ଟି କରିଥିଲା।

ନିର୍ଭୟା ଦୁଷ୍କର୍ମ ମାମଲାରେ ୪ ଜଣ ଦୋଷୀ ଅକ୍ଷୟ ସିଂହ ଠାକୁର, ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମାଙ୍କୁ ଜାନୁଆରୀ ୨୨ ସକାଳ ୭ଟାରେ ଏକସଙ୍ଗେ ତିହାର ଜେଲରେ ଫାଶୀ ଦିଆଯିବ। ଦୋଷୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏ ସମ୍ପର୍କିତ କ୍ୟୁରେଟିଭ୍‍ ପିଟିସନ୍‍ ଖାରଜ ହୋଇଗଲେ ଦିଲ୍ଲୀ କୋର୍ଟଙ୍କ ଡେଥ୍‍ ୱାରେଣ୍ଟ୍‍ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରୀ ହେବ। ଏହି ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯିବା ଲାଗି ତିହାର ଜେଲ୍‍ରେ ଜୋରଦାର ପ୍ରସ୍ତୁତି ଚାଲିଛି।

ମିଳିଥିବା ରିପୋର୍ଟ ଅନୁଯାୟୀ, ମୀରଟରୁ ଘାତକଙ୍କୁ ଅଣାଯିବ ଏବଂ ଫାଶୀ ଦିଆଯିବା ଲାଗି ବିହାରର ବକ୍ସାର୍‍ ଜେଲରୁ ଦଉଡ଼ି ଅଣାଯିବ। ଇତିମଧ୍ୟରେ ତିହାର୍‍ ଜେଲ୍‍ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ ଜେଲ୍‍ ବିଭାଗକୁ ଚିଠି ଲେଖି ମୀରଟରୁ ଘାତକ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ଫାଶୀ ଦଉଡ଼ି ବକ୍ସାର୍‍ ଜେଲରୁ ଅଣାଯିବ ବୋଲି ଜେଲ୍‍ ସୁପରିଣ୍ଟେଣ୍ଡେଣ୍ଟ୍‍ ବିଜୟ କୁମାର ଆରୋରା କହିଛନ୍ତି। ସେ କହିଛନ୍ତି, ଏହି ଜେଲରେ ପ୍ରସ୍ତୁତ ହେଉଥିବା ଫାଶୀ ଦଉଡ଼ିର ବିଶେଷ ଚାହିଦା ରହିଛି। ନିକଟରେ ଅନ୍ୟୂନ ୧୦ଟି ଫାଶୀଦଣ୍ଡ ଘଟଣାରେ ଏହି ଜେଲରୁ ଫାଶୀ ଦଉଡ଼ି ଯୋଗାଇ ଦିଆଯାଇଛି। ଅତୀତରେ ଧନଞ୍ଜୟ ଚାଟାର୍ଜୀ, ଅଜମଲ କସବ, ଆଫଜଲ ଗୁରୁଙ୍କୁ ଫାଶୀ ଦିଆଯିବା ସମୟରେ ଏହି ଜେଲର ଦଉଡ଼ି ବ୍ୟବହାର କରାଯାଇଥିଲା।

ଘାତକ ପବନ ପ୍ରସ୍ତୁତ: ନିର୍ଭୟା ମାମଲାରେ ୪ ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ମୀରଟ୍‍ର ଘାତକ ପବନ ପ୍ରସ୍ତୁତ ହୋଇଛନ୍ତି। ବଂଶାନୁକ୍ରମିକ ଭାବେ ପବନ ଏହି କାର୍ଯ୍ୟ କରିବାକୁ ଯାଉଛନ୍ତି। ପବନଙ୍କ ଜେଜେବାପା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରିଥିବା ୨ ହତ୍ୟାକାରୀଙ୍କ ସମେତ ଦୁର୍ଦ୍ଦାନ୍ତ ଅପରାଧୀ ରାଙ୍ଗା ଓ ବିଲାଙ୍କୁ ଫାଶୀ ଦେଇଥିଲେ। ପବନ ଏବେ ମୀରଟ୍‍ ଜେଲରେ ଘାତକ ରୂପେ କାର୍ଯ୍ୟ କରୁଛନ୍ତି। ତିହାର୍‍ ଜେଲରେ କୌଣସି ନିୟମିତ ଘାତକ ନଥିବାରୁ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାଲାଗି ପବନଙ୍କୁ ଡକାଯାଉଛି। ସେ ଏହି ପରିପ୍ରେକ୍ଷୀରେ କହିଛନ୍ତି, ମୁଁ ଏହି ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ପୂରାପୂରି ପ୍ରସ୍ତୁତ ଅଛି। ସେମାନଙ୍କୁ ଫାଶୀ ଦେବା ପୂର୍ବରୁ ମୋତେ ଏଥିପାଇଁ ଅଭ୍ୟାସ କରିବାକୁ ପଡ଼ିବ ବୋଲି ସେ କୁହନ୍ତି।

ମୋ ଝିଅକୁ ନ୍ୟାୟ ମିଳିଛି। ୪ ଦୋଷୀଙ୍କୁ ଫାଶୀଦଣ୍ଡ ଦେଶରେ ମହିଳାଙ୍କୁ ସଶକ୍ତ କରିବ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ମଧ୍ୟ ଲୋକଙ୍କ ଆସ୍ଥା ବୃଦ୍ଧି ପାଇବ।

-ଆଶା ଦେବୀ (ନିର୍ଭୟାଙ୍କ ମା’)

 କୋର୍ଟଙ୍କ ଫୈସଲାକୁ ମୁଁ ଜୋରଦାର ସ୍ୱାଗତ କରୁଛି। ଦେଶରେ ରହିଥିବା ସମସ୍ତ ନିର୍ଭୟାଙ୍କ ପାଇଁ ଏହା ଏକ ବିଜୟ। ମୁଁ ନିର୍ଭୟାଙ୍କ ପିତାମାତାଙ୍କୁ ସାଲ୍ୟୁଟ୍‍ କରୁଛି। ସେମାନେ ଦୀର୍ଘ ୭ ବର୍ଷ ଧରି ଆଇନ୍‍ଗତ ଯୁଦ୍ଧ କରି ସେଥିରେ ବିଜୟଲାଭ କରିଛନ୍ତି।

-ସ୍ୱାତୀ ମାଲିୱାଲ (ଦିଲ୍ଲୀ ମହିଳା କମିଶନ ମୁଖ୍ୟ)

ବ୍ଲାକ୍‍ ୱାରେଣ୍ଟ୍‍ କ’ଣ?: ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ ପାଇଁ ଜାରି ହୋଇଥିବା ପରୱାନାକୁ ବ୍ଲାକ୍‍ ୱାରେଣ୍ଟ୍‍ ବା ଡେଥ୍‍ ୱାରେଣ୍ଟ୍‍ କୁହାଯାଏ। କେବେ ଓ କେଉଁ ସମୟରେ ମୃତ୍ୟୁଦଣ୍ଡ ଦିଆଯିବ ସେ ସମ୍ପର୍କିତ ନୋଟିସ୍‍ ବ୍ଲାକ୍‍ ୱାରେଣ୍ଟ୍‍ ଭାବରେ ପରିଚିତ। ଦୋଷୀକୁ ମୃତ୍ୟୁ ପର୍ଯ୍ୟନ୍ତ ଫାଶୀରେ ଝୁଲାଇବାକୁ ଏହି ୱାରେଣ୍ଟ୍‍ରେ ଉଲ୍ଲେଖ ଥାଏ।