ନିର୍ଭୟା ମାମଲା: ୧୭ରେ ଡେଥ୍ ୱାରେଣ୍ଟ୍ ଜାରି ପାଇଁ ମାମଲାର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଇନଗତ ପ୍ରକ୍ରିୟା ଲମ୍ବି ଚାଲିଥିବାରୁ ୪ ଦୋଷୀଙ୍କୁ ଫାଶୀଦଣ୍ଡ ବିଳମ୍ବିତ ହେବାରେ ଲାଗିଛି। ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଥିବାରୁ ଏହାକୁ ଚାଲେଞ୍ଜ୍ କରି ସେ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଗୁରୁବାର ଅଗ୍ରାହ୍ୟ ହୋଇଯାଇଛି। ଜଷ୍ଟିସ୍ ଆର୍ ଭାନୁମତୀ, ଅଶୋକ ଭୂଷଣ ଓ ଏଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି। ବିନୟ ଶର୍ମା ଗତ ମଙ୍ଗଳବାର ଏହାକୁ ଚାଲେଞ୍ଜ୍ ସୁପ୍ରିମକୋର୍ଟରେ ଆବେଦନ କରିଥିଲା।

ସେ ଅଭିଯୋଗ କରିଥିଲା ଯେ, ଦିଲ୍ଲୀର ଉପରାଜ୍ୟପାଳ ଓ ଗୃହମନ୍ତ୍ରୀ ତା’ର ରାଜକ୍ଷମା ଆବେଦନକୁ ସୁପାରିସ ନକରିବାରୁ ତାହା ଅଗ୍ରାହ୍ୟ ହୋଇଗଲା। ଅନ୍ୟପକ୍ଷରେ ୪ ଦୋଷୀଙ୍କୁ ପୃଥକ୍ ଭାବରେ ଫାଶୀ ଦିଆଯିବା ଲାଗି କେନ୍ଦ୍ରର ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ଜଷ୍ଟିସ୍ ଆର୍ ଭାନୁମତୀଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଦୋଷୀଙ୍କୁ ଶୁକ୍ରବାର କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଏହି ଅବସରରେ ସର୍ବୋଚ୍ଚ ଅଦାଲତ ବରିଷ୍ଠ ଆଡଭୋକେଟ୍ ଅଞ୍ଜନା ପ୍ରକାଶଙ୍କୁ ପବନ କୁମାର ଗୁପ୍ତା ପକ୍ଷରୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି।

ଅପରପକ୍ଷରେ ୪ ଦୋଷୀଙ୍କ ପାଇଁ ଡେଥ୍ ୱାରେଣ୍ଟ୍ (ମୃତ୍ୟୁ ପରୱାନା) ଜାରି ପାଇଁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ନିର୍ଭୟାଙ୍କ ପରିବାର ଏବଂ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗତ ବୁଧବାର ଆଗତ ହୋଇଥିବା ଆବେଦନର ଶୁଣାଣିକୁ ଅତିରିକ୍ତ ସେସନ୍ସ ଜଜ୍ ଧର୍ମେନ୍ଦ୍ର ରାଣା ଆସନ୍ତା ସୋମବାର ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।