ନିର୍ଭୟା ମାମଲା : ପଟିଆଲା ହାଉସ କୋର୍ଟ ରାୟ, କାଲି ଦିଆଯିବନି ଫାଶୀ

ନୂଆଦିଲ୍ଲୀ : ଫେବୃଆରୀ ୧ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଟଳି ଯାଇଥିବା ସ୍ପଷ୍ଟ ହୋଇଛି । ଅଭିଯୁକ୍ତଙ୍କ ଓକିଲ ଏ.ପି. ସିଂହ ଗଣମାଧ୍ୟମକୁ କହିଛନ୍ତି, ପଟିଆଲା ହାଉସ କୋର୍ଟ ଅକ୍ଷୟ, ବିନୟ, ପବନ ଓ ମୁକେଶର ଡେଥ ୱାରଣ୍ଟକୁ ରଦ୍ଦ କରିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ତିହାର ଜେଲ କର୍ତୃପକ୍ଷ କୋର୍ଟଙ୍କୁ ଜଣାଇଥିଲେ ଯେ ଆସନ୍ତା କାଲି ୩ ଜଣଙ୍କୁ ଫାଶୀ ଦିଆଯାଇ ପାରିବ ଏବଂ ନିର୍ଭୟାଙ୍କ ମାଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ କହିଥିଲେ ଯେ ଅଭିଯୁକ୍ତମାନେ ଫାଶୀରୁ ବଂଚିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ପବନ ଗୁପ୍ତାର ନାବାଳକ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ । ଶୁଣାଣି ସମୟରେ ତିହାର ଜେଲ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଇରଫାନ ଅହମ୍ମଦ କହିଥିଲେ, କେବଳ ବିନୟ ଶର୍ମାର ଆବେଦନ ଉପରେ ନିଷ୍ପତ୍ତି ନେବା ପ୍ରକ୍ରିୟା ଜାରି ରହିଛି ତେଣୁ ଅନ୍ୟ ୩ଜଣଙ୍କୁ ଫାଶୀ ଦିଆଯାଇପାରିବ । ଅନ୍ୟ ପକ୍ଷରେ ନିର୍ଭୟାଙ୍କ ମା କହଛନ୍ତି, ଦୋଷୀଙ୍କ ଓକିଲ ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ ସେ ଫାଶୀ ତାରିଖ ଘୁଞ୍ଚାଇ ଦେବେ ଏବଂ ତାହା ହିଁ ହେଲା।