ଗୃହ ମନ୍ତ୍ରାଳୟକୁ ପଠାଗଲା ନିର୍ଭୟା ଦୋଷୀର ରାଜକ୍ଷମା ଆବେଦନ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ମୁକେଶ ସିଂହ ପକ୍ଷରୁ କରାଯାଇଥିବା ରାଜକ୍ଷମା ଆବେଦନକୁ ଦିଲ୍ଲୀ ସରକାର ଖାରଜ କରିବା ପରେ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ଉପରାଜ୍ୟପାଳ ଏହାକୁ ଖାରଜ କରିବା ପରେ ଗୁରୁବାର ଗୃହ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି। ମୁକେଶର ଆବେଦନକୁ ଖାରଜ କରିବା ପାଇଁ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ। ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା କହିଛନ୍ତି ଯେ, ସରକାର ଏହି ସୁପାରିଶକୁ ଉପରାଜ୍ୟପାଳଙ୍କୁ ପଠାଇଛନ୍ତି। ପରେ ତାହା କେନ୍ଦ୍ର ଗୃହମନ୍ତ୍ରାଳୟକୁ ପଠାଯିବ।

ସୂଚନାଯୋଗ୍ୟ, ଜାନୁଆରୀ ୨୨ ସକାଳ ୭ଟାରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହେବ ବୋଲି ସ୍ଥିର କରାଯାଇଥିଲା। ଗତ ବୁଧବାର ଦୋଷୀ ମୁକେଶ ସିଂହ ରାଜକ୍ଷମା ପାଇଁ ଆବେଦନ କରିବାରୁ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ମିଳିବାରେ ବିଳମ୍ବ ହେବ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଦୋଷୀମାନେ ଫାଶୀର ନିକଟତର ହେଉଛନ୍ତି ବୋଲି ଆଶା କରାଯାଉଛି।