ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି : କରୋନା ଲଢ଼େଇରେ ବିଏମ୍‌ସି ଦାୟିତ୍ୱହୀନ

ଭୁବନେଶ୍ୱର,(ଏନ୍‌ଏନ୍‌ଏସ୍ ) : କରୋନା ମୁକାବିଲାରେ ବିଏମ୍‌ସିର ଅପାରଗତାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିଏମ୍‌ସି ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ଉଦାସୀନ ଓ ଦାୟିତ୍ୱହୀନ ଆଚରଣ ଦେଖାଉଛି । ଯାହା ଏଭଳି ମହାମାରୀ ସମୟରେ ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ । ଏହା ରାଜନୀତି କରିବାର ସମୟ ନୁହେଁ ଓ ସେ ରାଜନୈତିକ ଦୃଷ୍ଟିକୋଣରୁ ଏହି ପତ୍ର ଲେଖିନାହାନ୍ତି । କିନ୍ତୁ ଭୁବନେଶ୍ୱରର ନାଗରିକ ହିସାବରେ ସହରବାସୀଙ୍କ ମତ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ଅନ୍ୟ ସମୟ ପରି ବର୍ତ୍ତମାନ ସ୍ୱାଭାବିକ ସମୟ ହୋଇଥିଲେ ଲୋକଙ୍କ ରାଗ ଆନ୍ଦୋଳନର ରୂପ ନେଇଥା’ନ୍ତା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଭିନ୍ନ । ତେଣୁ ଲୋକେ ବାଧ୍ୟ ହୋଇ ସହି ଯାଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ପୁରା ସ୍ଥିତିର ବିଚାର କରି ବିହିତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଚିଠିରେ ଶ୍ରୀ ପଟ୍ଟନାୟକ ଅଭିଯୋଗ କରି ଉଲ୍ଲେଖ କରିଛନ୍ତି ଯେ, ବିଏମ୍‌ସି ଅଧିକାରୀମାନଙ୍କ ପାଖକୁ ଲୋକେ ଦରକାର ବେଳେ ପହଞ୍ଚି ପାରୁନାହାନ୍ତି । ବହୁ ବିଳମ୍ବରେ ବିଏମ୍‌ସି ୧୯୨୯ ସହାୟତା ନମ୍ବର ଜାରି କରିଥିଲେ ମଧ୍ୟ ଏହି ନମ୍ବରକୁ ଫୋନ କଲେ ସେଭଳି କିଛି ସହାୟତା ମିଳୁନାହିଁ । ଯେଉଁ ବ୍ୟକ୍ତି ନିଜର କରୋନା ପରୀକ୍ଷା ପାଇଁ ଇଚ୍ଛା କିମ୍ବା ଅନୁରୋଧ କରିବ, ସେମାନଙ୍କର ପରୀକ୍ଷା କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲା ବେଳେ ଲୋକେ ପରୀକ୍ଷା ପାଇଁ ବହୁ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦିନକୁ ଲକ୍ଷେ ପରୀକ୍ଷା କଥା କହିଥିଲା ବେଳେ ଏବେ ୫୦ ହଜାର ପରୀକ୍ଷା ହେଉଛି, ସେଥିମଧ୍ୟରୁ ସିଂହଭାଗ ଆଣ୍ଟିଜେନ ପରୀକ୍ଷା । ସେହିପରି ପରୀକ୍ଷା ହେଲେ ମଧ୍ୟ ଫଳାଫଳ ଜାଣିବାକୁ ଅନେକ ବିଳମ୍ବ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଯେଉଁମାନଙ୍କୁ ଘରେ ରଖାଯାଉଛି ସେମାନଙ୍କୁ ଅନ୍ୟ ରାଜ୍ୟ ଭଳି ମାଗଣାରେ ପଲ୍‌ସ ଅକ୍ସିମିଟର ଯୋଗାଇ ଦିଆଯାଉ ନାହିଁ । ଘରେ ଥିଲାବେଳେ ରୋଗ ବଢ଼ିଲେ ଡାକ୍ତରଖାନାରେ ବେଡ୍ ପାଇବା ପାଇଁ ଦିନ ଦିନ ଲାଗୁଛି, ଯାହା ମଧ୍ୟରେ ରୋଗୀର ଅବସ୍ଥା ଖରାପ ହେଉଛି ।

ସେହିପରି ବର୍ତ୍ତମାନ ଚାରିଆଡ଼େ ଡାକ୍ତରଖାନା ବେଡର ଗୁରୁତର ଅଭାବ ସୃଷ୍ଟି ହୋଇଛି । ବେଳ ଥାଉ ଥାଉ ଡାକ୍ତରଖାନା ବେଡ୍ ସଂଖ୍ୟା ଆବଶ୍ୟକତା ଅନୁସାରେ ବୃଦ୍ଧି କରାଗଲା ନାହିଁ । ଗୋଟିଏ ଆଇସିୟୁ ବେଡ୍ ଖାଲି ହେଲେ ଭିତରକୁ ଯିବାକୁ ତିନିରୁ ପାଞ୍ଚ ଜଣ ଅପେକ୍ଷାରେ ରହୁଛନ୍ତି । ସେ ମୁଖ୍ୟମନ୍ତ୍ରୀ ଏସବୁର ସତ୍ୟାସତ୍ୟ ଅନୁସନ୍ଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।