ଆଇଏଏସ୍ ସ୍ତରରେ ଅଦଳବଦଳ : ନିରଞ୍ଜନ ସାହୁ ହେଲେ ଉତ୍ତରାଞ୍ଚଳ ଆରଡିସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି। ଗତ ସପ୍ତାହରେ ପଦାନ୍ନତି ପାଇଥିବା କେତେକ ଆଇଏଏସ ଅଫିସରଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୪ ବ୍ୟାଚ୍‍ ଆଇଏଏସ ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଥିବାବେଳେ ସେହି ବ୍ୟାଚର ଆଇଏଏସ ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ୨୦୦୭ ବ୍ୟାଚ୍‍ ଆଇଏଏସ୍‍ ସୁଶାନ୍ତ ମହାପାତ୍ରଙ୍କୁ ଇଷ୍ଟେଟ୍‍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଶ୍ରୀ ମହାପାତ୍ର ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ୨୦୦୯ ଆଇଏଏସ୍‍ ଭି ଜୟକୁମାରଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ୨୦୦୯ ବ୍ୟାଚ୍‍ ଆଇଏଏସ୍‍ ଡଃ ଏନ ତିରୁମାଳା ନାଏକଙ୍କୁ ଶ୍ରମ କମିଶନର ଭାବେ ଓ ୨୦୧୫ ବ୍ୟାଚ୍‍ ଆଇଏଏସ୍‍ ଆବୋଲି ସୁନୀଲ ନରଭାଣେଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେ ରାଉରକେଲା ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।