ଓଡ଼ିଶା ସବୁ କ୍ଷେତ୍ରରେ ପଛୁଆ, ମୁଖ୍ୟମନ୍ତ୍ରୀ ଏକ ନମ୍ବର କେମିତି: ନିରଞ୍ଜନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ପ୍ରକାଶ ପାଇଥିବା ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେ ରିପୋର୍ଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଯାଇଛି। ଏପରିକି ଦେଶର ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ଶୀର୍ଷସ୍ଥାନ ମଣ୍ଡନ କରିଥିବାରୁ ଆଜି ତାଙ୍କ ବାସଭବନକୁ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଯାଇ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଜାତୀୟସ୍ତରରେ ଓଡ଼ିଶା ସବୁ କ୍ଷେତ୍ରରେ ପଛୁଆ ଥିବାବେଳେ ମୁଖ୍ୟମନ୍ତ୍ରୀ ୧ ନମ୍ବର କେମିତି ହେଲେ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆଜି ପ୍ରେସବାର୍ତ୍ତା ଜାରି କରି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ରାଜ୍ୟରେ ଦଣ୍ଡବିଧାନ ହାର ୪% ଥିବାବେଳେ ସୁଶାସନରେ ଓଡ଼ିଶା ତଳ ଆଡ଼ୁ ୪ ନମ୍ବର। ବେକାରୀ ବୃଦ୍ଧିରେ ୧ ନମ୍ବର। ସେହିଭଳି ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ରାଜ୍ୟ ପୁଲିସ‌କୁ ମାତ୍ର ୨୭% ସଫଳତା ମିଳିଛି। ଚାଷୀଙ୍କୁ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିପାରିନାହାନ୍ତି। ରାଜ୍ୟର ଶ୍ରମିକମାନେ ହତାସ୍ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ରାଜନୈତିକ ହିଂସା ବୃଦ୍ଧି ପାଉଛି।

ନାରୀ ନିର୍ଯାତନାରେ ଓଡ଼ିଶା ଦ୍ୱିତୀୟରେ। ହାରାହାରି ଭାବେ ଦେଖିବାକୁ ଗଲେ ଭାରତର ଆଗୁଆ ରାଜ୍ୟମାନଙ୍କ ତାଲିକାରେ ୨୫ ନମ୍ବରରେ ରହିଛି ଓଡ଼ିଶା। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କେମିତି ଦେଶରେ ନମ୍ବର ୧ ହେଲେ ବୋଲି ଶ୍ରୀ ପଟ୍ଟନାୟକ ପଚାରିଛନ୍ତି। କେବଳ ପ୍ରତିଶୃତି, ପ୍ରତାରଣା ଓ ପ୍ରଚାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଲିଛି। ଜନମତକୁ ଭ୍ରମିତ କରିବା ପାଇଁ ହେଉ କିମ୍ବା ବିଗୁଡ଼ୁଥିବା ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ବହୁଳ ଅର୍ଥ ବ୍ୟୟ କରି ଏଭଳି ଏକ ପୁରସ୍କାର ଯୋଗାଡ଼ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଆଶଙ୍କା କରିଛନ୍ତି।