ଆତଙ୍କୀ ଷଡଯନ୍ତ୍ର ମାମଲା, ୨ ସନ୍ଦିଗ୍ଧଙ୍କୁ ବାନ୍ଧିଲା ଏନଆଇଏ

ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ କଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ। ଏନେଇ ଏନଆଇଏ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାପା ମରା ଯାଇଥିଲା। କେନ୍ଦ୍ରଶାସିତ ଅଞ୍ଚଳ ତଥା ଅନ୍ୟାନ୍ୟ ପ୍ରମୁଖ ସହରରେ ହିଂସାତ୍ମକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଜି ଦୁଇ ସନ୍ଦିଗ୍ଧଙ୍କୁ କାବୁ କରିଛି ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା।

ଗିରଫ ଅଭିଯୁକ୍ତ ହେଲେ ଇସଫାକ ଅହମ୍ମଦ ୱାନି ଓ ଉମର ଭଟ୍ଟ। ଜମ୍ମୁ-କଶ୍ମୀର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ଉ ବେଳେ ଉଭୟଙ୍କୁ ଗିରଫ କରିଛି ଏନଆଇଏ। ଜମ୍ମୁ-କଶ୍ମୀର ଏବଂ ଅନ୍ୟାନ୍ୟ ପ୍ରମୁଖ ସହରରେ ଲସ୍କର-ଏ-ତୋଏବା (ଲେଟି), ଜୈସ-ଏ-ମହମ୍ମଦ (ଜେଏମ), ହିଜବ-ଉଲ-ମୁଜାହିଦ୍ଦିନ (ଏଚଏମ), ଅଲ ବଦର ଏବଂ ସେମାନଙ୍କ ଦ୍ୱାରା ହିଂସାତ୍ମକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର କରାଯାଇଥିବା ଜଣାପଡିଥିଲା। ଏନ୍ଆଇଏ ଚଳିତ ବର୍ଷ ଅକ୍ଟୋବର ୧୦ରେ ମାମଲା ପଞ୍ଜିକୃତ କରି ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ୨୫ ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଏନଆଇଏ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ଆତଙ୍କବାଦୀ ସହଯୋଗୀ ତଥା ବିଭିନ୍ନ ଆତଙ୍କବାଦୀ ସଂଗଠନ ପାଇଁ କାର୍ୟ୍ୟ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏମାନେ ଆତଙ୍କବାଦୀଙ୍କୁ ସାମଗ୍ରୀ ତଥା ସାମଗ୍ରୀକ ସହାୟତା ପ୍ରଦାନ କରୁଥିବା କହିଛି ଏନଆଇଏ।