ଆସନ୍ତା ୨୫ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ଗତ ୨ମାସରୁ ଅଧିକ ସମୟ ହେବ ଆମେ ତାଲାବନ୍ଦରେ ରହିଆସିଛେ । କରୋନା ଲଢେ଼ଇ ଆମ ପାଇଁ ଲମ୍ବା ଲଢେ଼ଇ । କରୋନାର ପ୍ରତିଶେଧକ ଏପର୍ଯ୍ୟନ୍ତ ଆସିନ ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ଆଗକୁ ମୌସୁମୀ ଆସୁଛି ତେଣୁ ଆମକୁ ଅଧିକ ସତର୍କ ରହିବାକୁ ହେବ । ତାଲାବନ୍ଦ କୋହଳ ହେଲା କିନ୍ତୁ କରୋନା ଯାଇନି । ଜୁନ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ୫ଲକ୍ଷ ଓଡ଼ିଆ ଭାଇ ଭଉଣୀ ଘରକୁ ଫେରୁଛନ୍ତି । ସେମାନେ ଫେରିବା ଦ୍ୱାରା ପଡ଼ିବାକୁ ଥିବା ପ୍ରଭାବ ୧୫ରୁ ୨୦ ଦିନରେ କମିଯିବ । ମୌସୁମୀ ଆସିଲେ ଥଣ୍ଡା, କାଶ, ଜ୍ୱର ଦେଖାଦେଇପାରେ ତେଣୁ ଏନେଇ ସତର୍କ ରହିବାକୁ ପଡ଼ିବ । ଆସନ୍ତା ୨୫ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କରୋନା ସଂକ୍ରମଣ ବର୍ତ୍ତମାନ ଶୀର୍ଷ ସ୍ଥାନରେ ଅଛି । ଦେଶରେ ବଢ଼ୁଥିବା ସଂକ୍ରମଣ ଆମ ପାଇଁ ବଡ଼ ଆହ୍ୱାନ । ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।