ଆଉ ୨୪ ଘଣ୍ଟା ପ୍ରବଳ ବର୍ଷିବ: ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ୯ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡି ଛୁଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଘୁଚାପ ପ୍ରଭାବ ଯୋଗୁଁ ସାରା ରାଜ୍ୟରେ ହୋଇଥିବା ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦୀର୍ଘ ୩୬ ଘଣ୍ଟା ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଅବିଶ୍ରାନ୍ତ ବର୍ଷା ସତେ ଯେପରି ନାକରେ ପାଣି ପିଆଉଛି। କେଉଁଠି ଭୂସ୍ଖଳନ ତ କେଉଁଠି ଗଛପଡି ଜନଜୀବନ ହାନି ହୋଇଛି। ରାସ୍ତା ଉପରେ ପାଣିର ସୁଅ ଛୁଟୁଛି। ଟ୍ୱିନ ସିଟି କଥା ତ ନ କହିବା ଭଲ। ସହରର ତଳିଆ ଅଞ୍ଚଳରେ ପାଣି ପଶିଯିବା ସହ ରାସ୍ତା ଉପରେ ଲହଡି ଖେଳୁଛି।

ବର୍ଷା ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବା ସହିତ ଶୁକ୍ରବାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲା ଯଥା ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, ଗଞ୍ଜାମ, ନୟାଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇ ଏହି ଜିଲ୍ଲାଗଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ବର୍ଷା ପାଇଁ ୯ଟି ଜିଲ୍ଲା ଯଥା ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ିକୁ ଛୁଟି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପ।ଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଇଛନ୍ତି। ବିଶେଷ କରି ରେଡ୍, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ବର୍ଷା ଜନିତ ସମସ୍ୟାର ମୁକାବିଲା କରିବା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୁରୀ ଜିଲ୍ଲାରେ ୧୬୬.୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ରେ ସର୍ବାଧିକ ୨୪୯.୪ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ବର୍ଷା ଯୋଗୁ ବଂଶଧରା ନଦୀରେ ଜଳସ୍ତର ବୃଦ୍ଧି ପାଇ କାଶିନଗରଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେହିପରି ଭୁବନେଶ୍ୱରରେ ୧୦୦.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୧୦୪.୨, ଗଜପତି ଓ ଜଗତସିଂପୁର ଜିଲ୍ଲାରେ ୧୦୦ ମିମି ଲେଖାଏ ବର୍ଷା ହୋଇଛି।

ତେବେ ଶୁକ୍ରବାର ପରେ ବର୍ଷାର ପରିମାଣ ଧିରେ ଧିରେ କମିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଦୀପାବଳିରେ ପାଗ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି। ଯେହେତୁ ୨୪ ଘଣ୍ଟା ଧରି ରାଜ୍ୟରେ ବର୍ଷା ଲାଗି ରହିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ହୀରାକୁଦରେ ୮ଟି ଗେଟ୍‍ ଖାଲାଯାଇଛି।