ୱେଲିଂଟନ, ଏଜେନ୍ସି : ନ୍ୟୁଜିଲାଣ୍ଡର ଜ୍ୱାଲାମୁଖୀ ଦ୍ୱୀପ ‘ହ୍ୱାଇଟ୍ ଆଇଲ୍ୟାଣ୍ଡ’ରେ ଆକସ୍ମିକ ଲାଭା ଉଦଗୀରଣ ଫଳରେ ୬ ଜଣ ପ୍ରାଣ ହରାଇବା ସହ ୯ ଜଣ ନିଖୋଜ ଅଛନ୍ତି। ଲାଭାରେ ପୋଡ଼ି ହୋଇ ବୁଧବାର ୩୦ରୁ ଅଧିକ ଆହତ ହୋଇଛନ୍ତି। ଉଦ୍ଗୀରଣ ଜାରି ରହିଥିବାରୁ ନିଖୋଜଙ୍କ ସମେତ ଅନ୍ୟାନ୍ୟ ପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସୋମବାରଠାରୁ ଲାଭା ଉଦ୍ଗୀରଣ ଆରମ୍ଭ ହୋଇ ଅଦ୍ୟାବଧି ଜାରି ରହିଛି। ବୁଧବାର ଆଗ୍ନେୟଗିରିର ଶେଷ ଶିକାର ହୋଇଛନ୍ତି ୫୩ ବର୍ଷୀୟ ଅଷ୍ଟ୍ରେଲୀୟ ଗାଭିନ ଡାଲୋ ଓ ତାଙ୍କର ୧୫ ବର୍ଷୀୟା କନ୍ୟା ଜୋ ହୋସ୍କିଙ୍ଗ।
୧୫ ବର୍ଷୀୟା ଜୋ’ଙ୍କୁ ହରାଇ ଡାଲୋ ପରିବାର ଅଧିକ ଦୁଃଖ ପ୍ରକାଶ କରିଛନ୍ତି। ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ୨୯ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି। ୨୭ ଜଣ ପୀଡ଼ିତଙ୍କ ଶରୀର ୩୦%ରୁ ଅଧିକ ଭାଗ ପୋଡ଼ିଯାଇଛି। ୨୨ ଜଣ ପୀଡ଼ିତଙ୍କୁ ବିମାନରେ ସୁପର ହସ୍ପିଟାଲକୁ ନିଆଯାଇଛି। ଉତ୍ତପ୍ତ ତରଳ ଲାଭା ସଂସ୍ପର୍ଶରେ ଆସି ଅଧିକାଂଶ ଲୋକଙ୍କ ଶରୀର ପୋଡ଼ିଯାଇଛି।
ତରଳ ଲାଭାରେ ରହିଥିବା ବିଷାକ୍ତ ଗ୍ୟାସ ଓ ରସାୟନ ପ୍ରଭାବରେ ବହୁଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଲାଭାଜନିତ ପୋଡ଼ିରୁ ରୋଗୀଙ୍କୁ ବଞ୍ଚାଇବା କଷ୍ଟକର ବୋଲି ଡାକ୍ତରମାନେ କହିଛନ୍ତି। ଅଧିକାଂଶ ପୀଡ଼ିତଙ୍କୁ ଡାକ୍ତରଖାନାରେ ମାସାଧିକ ରହିବାକୁ ପଡ଼ିବ ବୋଲି ଡକ୍ଟର ୱାଟସନ୍ କହିଛନ୍ତି। ଡକ୍ଟର ୱାଟସନ୍ ହେଉଛନ୍ତି ଅକଲ୍ୟାଣ୍ଡସ୍ଥିତ ମିଡିଲମୋରେ ହସ୍ପିଟାଲର ମୁଖ୍ୟ ମେଡିକାଲ ଅଧିକାରୀ। ମେଡିକାଲ ଟିମ ପରାମର୍ଶ ଅନୁସାରେ କିଛି ରୋଗୀଙ୍କୁ ଚିକିତ୍ସା ପାଇଁ ନ୍ୟୁଜିଲାଣ୍ଡ ବାହାରକୁ ନିଆଯାଉଛି। ଏବେ ମଧ୍ୟ ତରଳ ଲାଭା ଉଦ୍ଗୀରଣ ଜାରି ରହିଥିବାରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଧିମେଇ ଯାଇଛି।