ନ୍ୟୁଜିଲାଣ୍ଡ ଜିତିଲା ପ୍ରଥମ ଟି-୨୦

ପାଲିକଲ,୧ା୯/ଏଜେନ୍ସି: ଏଠାରେ ରବିବାର ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୫ ୱିକେଟରେ ଆୟୋଜକ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୪ ରନ୍ର ସମ୍ମାନଜନକ ସ୍କୋର କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୯.୩ ଓଭରରେ ୫ ୱିକେଟ ହରାଇ ବିଜୟ ଲାଗି ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ରସ୍ ଟେଲର ୨୯ବଲ୍ରେ ସର୍ବାଧିକ ୪୮, କଲିନ୍ ଡି ଗ୍ରାଣ୍ଡହୋମ୍ ୨୮ବଲ୍ରେ ୪୪ ରନ୍ କରିଥିଲେ। କିନ୍ତୁ ଡାରିଲ ମିଚେଲ ୧୯ବଲରେ ୨ଛକା ସହ ଅପରାଜିତ ୨୫ ଏବଂ ମିଚେଲ ସାଣ୍ଟନର ୮ ବଲ୍ରେ ଅପରାଜିତ ୧୪ ରନ୍ କରି ଦଳକୁ ସହଜରେ ବିଜୟୀ କରାଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଲାସିଥ୍ ମାଲିଙ୍ଗା ଓ ୱାନିନ୍ଦୁ ହାସରଙ୍ଗା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଏହିଠାରେ ଆସନ୍ତା ୩ରେ ଖେଳାଯିବ।
ପୂର୍ବରୁ ଶ୍ରୀଲଙ୍କା ଇନିଂସରେ କୁଶାଲ ମେଣ୍ଡିସ୍ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ୫୩ ବଲ୍ରେ ୮ଚୌକା ଏବଂ ୨ଛକା ସହ ସର୍ବାଧିକ ୭୯ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱିକେଟକିପର ନିରୋସନ ଡିକ୍ୱେଲା ୨୫ ବଲ୍ରେ ୩୩ ଓ ଦାସୁନ ଶାନକା ୧୨ ବଲ୍ରେ ୧୭ ରନ୍ କରିଥିଲେ। ଇସୁରୁ ଉଦାନା ମାତ୍ର ୩ବଲ୍ରେ ୨ଛକା ସହ ଅପରାଜିତ ୧୫ ରନ୍ର ଯୋଗଦାନ ଦେଇଥିଲେ। କେନ୍ ୱିଲିୟମ୍ସଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଉଥିବା ଟିମ୍ ସାଉଦୀ ସର୍ବାଧିକ ୨ଟି ୱିକେଟ ପାଇଥିଲେ। ମିଚେଲ ସାଣ୍ଟନରଙ୍କୁ ଗୋଟିଏ ୱିକେଟ ମିଳିଥିଲାବେଳେ ଶ୍ରୀଲଙ୍କାର ଡିକ୍ୱେଲା ରନ୍ଆଉଟ ହୋଇଥିଲେ।