ବାଲିଗୁଡ଼ା,ଏନ୍ଏନ୍ଏସ୍: ନବ ବିବାହିତାଙ୍କ ଯୌତୁକକୁ ବିରୋଧ ଘଟଣା ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଯୌତୁକରେ ବର ବାଇକ ମାଗିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖାଚୁଡ଼ି ଖୋଲିଦେଇ ବାପଘରକୁ ଫେରି ଯାଇଛନ୍ତି ଜଣେ ନବ ବିବାହିତା କନ୍ୟା ।
ମିଳିଥିବା ରିପୋର୍ଟ ମୁତାବକ, ତୁମୁଡିବନ୍ଧ ଥାନା ସାରୁପାଟା ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲେ । ହେଲେ ବିବାହର ପରଦିନ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ଏକ ମୋଟରସାଇକେଲ ଦେବାକୁ କନ୍ୟା ପକ୍ଷଙ୍କ ନିକଟରେ ବର ଦାବୀ କରିଥିଲେ । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରି ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲିଦେଇ ବାପଘରକୁ ଚାଲି ଯାଇଥିଲେ । ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତ୍ତି ସହ ତା’ର ସାହସକୁ ସମସ୍ତେ ପ୍ରଶଂସା କରିଛନ୍ତି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ମୋଟରସାଇକେଲ ମାଗିବା ଘଟଣା ମିଛ ବୋଲି କହିବା ସହ ଆମକୁ ଏବେ ଝିଅ ଦରକାର ବୋଲି କହିଛନ୍ତି । ଏନେଇ ୨ ପରିବାର ମଧ୍ୟରେ ଆପୋଷ ବୁଝାମଣା ହେଉଛି କି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି ତାହା ପରେ ଜଣାପଡ଼ିବ ।