ଷ୍ଟାଫନର୍ସଙ୍କ ଦ୍ୱାରା ପ୍ରସବ, ନବଜାତ ଶିଶୁର ମୃତ୍ୟୁ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପ୍ରସୂତୀ ମହିଳାକୁ ଡାକ୍ତର ନଥିବା ଯୋଗୁଁ ଜଣେ ଷ୍ଟାଫନର୍ସ ପ୍ରସବ କରିବାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ସୋମବାର ଅଭିଯୋଗ ହୋଇଛି।

ସୂଚନାନୁସାରେ, ମାଲପଡ଼ାର ଲୋପାମୁଦ୍ରା ସାହୁଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ କୌଣସି ଡାକ୍ତର ଉପସ୍ଥିତ ନଥିବା ଯୋଗୁଁ ପ୍ରସୂତୀ ଗୃହରେ ଷ୍ଟାଫନର୍ସ ଟଙ୍କଧର ରଣା ମହିଳାଙ୍କୁ ଆଡମିଟ କରି ଆଉ ଅଧଘଣ୍ଟା ମଧ୍ୟରେ ପ୍ରସବ ହୋଇଯିବ ବୋଲି କହିଥିଲେ। ଅଧଘଣ୍ଟା ପରେ ଲୋପମୁଦ୍ରା ଏକ ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ରାତି ପ୍ରାୟ ୭ଟାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା।

ତେବେ ଡାକ୍ତରଙ୍କ ଅନୁପସ୍ଥିତିରେ ଷ୍ଟାଫନର୍ସ ଜଣକ ଖାମଖିଆଲି ଭାବେ ପ୍ରସବ କରାଇଥିବାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଲୋପାମୁଦ୍ରାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଭାରପ୍ରାପ୍ତ ମେଡିକାଲ ଅଫିସର ଡା.ସୌମ୍ୟ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଜନ୍ମ ବେଳେ ମା’ ଓ ଛୁଆ ଉଭୟ ସୁସ୍ଥ ଥିଲେ। ମାତ୍ର ପ୍ରସବ ବେଳେ ଅଧିକ ଚାପ ହେବାରୁ ଛୁଆଟିର ମୃତ୍ୟୁ ହୋଇଥାଇ ପାରେ ବୋଲି କହିଛନ୍ତି।