ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର, କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,ଏନ୍ଏନ୍ଏସ୍: ନବଜାତ ଶିଶୁ ଅଲୋଡା ହୋଇଛି। ଜଙ୍ଗଲ ଭିତରୁ ପୁଣି ଥରେ ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେନ୍ଦୁଝର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ସିଲୁଆଁ ଛକ ନିକଟରେ ଥିବା ଏକ ବୁଦା ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ସୂଚନା ଅନୁସାରେ ସିଲୁଆ ଛକ ଦେଇ ଯାଉଥିବା ଲୋକେମାନେ ଏକ ଶିଶୁ କାନ୍ଦିବାର ସ୍ୱର ଶୁଣିବାକୁ ପାଇଥିଲେ । ଶିଶୁର କାନ୍ଦ ଶୁଣିବା ପରେ ଲୋକେ ଜଙ୍ଗଲ ଭିତରେ ଥିବା ଏକ ବୁଦା ନିକଟକୁ ଯାଇଥିଲେ। ସେଠାରେ ନବଜାତ ଶିଶୁପୁତ୍ର ଥିଲା। ଏହା ପରେ ସ୍ଥାନୀୟ ଲୋକେ ଜଣେ ଆଶା ଦିଦିଙ୍କ ସହାୟତରେ ଶିଶୁପୁତ୍ରକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ତେବେ ଜଣେ ମହିଳା ଶିଶୁପୁତ୍ରକୁ ଜନ୍ମକରି ବୁଦା ମୂଳରେ ଫିଙ୍ଗି ଦେଇ ଚାଲିଦେଇଥିବା କଥା କୁହାଯାଉଛି। ଲୋକ ଲଜ୍ୟାକୁ ସହ୍ୟ ନ କରିପାରି କେହି ଜଣେ ମହିଳା ଅଥବା ଯୁବତୀ ଏଭଳି କରିଥିବା ଚର୍ଚ୍ଚା ହେଉଛି। ରାଜ୍ୟରେ ଜଙ୍ଗଲରୁ ଓ ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁପୁତ୍ର ଓ ଶିଶୁକନ୍ୟା ଉଦ୍ଧାର ହେବା ନୂଆ ଘଟଣା ନୁହେଁ। ରାଜ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଛି।