ହମିଲଟନରେ ପ୍ରଥମ ଦିନିକିଆ: ନ୍ୟୁଜିଲାଣ୍ଡ ବିଜୟୀ

ହାମିଲଟନ,ଏଜେନ୍ସି: ହାମିଲଟନରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ୪ ୱିକେଟରେ ବିଜୟୀ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୩୪୭ ରନ ଟାର୍ଗେଟ ଦେଇଥିଲା। ନ୍ୟୁଜିଲାଣ୍ଡ ୧୧ଟି ବଲ ଶେଷ ହେବା ପୂର୍ବରୁ ଏହି ରନ ହାସଲ କରିଛି। ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲରଙ୍କ ଲଢୁଆ ଶତକ ବଳରେ ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିବା ସହ ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗୁଆ ରହିଛି । ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟ୍‌ ଧରି ମଇଦାନକୁ ଓହ୍ଳାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ଧୁଆଁଧାର ବ୍ୟାଟିଂ ବଳରେ ୩୪୭ ରନ୍‌ କରିବାରେ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ଶ୍ରେୟାସ ଆୟାର ସର୍ବାଧିକ ୧୦୩ ରନ କରିଥିବା ବେଳେ ଲୋକେଶ ରାହୁଲ ୮୮ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ଅଧିନାୟକ ବିରାଟ କୋହଲି ୫୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଦୁଇ ଓପନର ପୃଥିବୀ ଶାହ ଓ ମୟଙ୍କ ଅଗ୍ରଓ୍ଵାଲ ଯଥାକ୍ରମେ ୨୦ ଓ ୩୨ ରନ କରିଥିଲେ।

୩୪୮ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଏହି ସ୍କୋର ସହଜରେ ପାର୍‌ କରି ବିଜୟ ହୋଇଛି। ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ ହେନେରୀ ନିକୋଲସ ଦଳକୁ ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ। ନିକୋଲସ୍‌ ୭୮ ଓ ଗପ୍ଟିଲ ୩୨ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ପରେ ଟମ୍‌ ଲିଥାମ୍‌ ଦଳୀୟ ସ୍କୋରରେ ୬୯ ରନ ଯୋଡ଼ି ପ୍ୟାଭିଲିୟନ୍‌ ଫେରିଥିଲେ।

ଭାରତ ପକ୍ଷରୁ କୁଳଦୀପ ଯାଦବ ୨ଟି ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ୍‌ ହାସଲ କରିଥିବା ବେଳେ, ମହମ୍ମଦ ସାମି ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ ନେବା ପାଇଁ ସମର୍ଥ ହୋଇଥିଲେ ।