କଟକ,ଏନ୍ଏନ୍ଏସ୍ : ନବବର୍ଷ ଅବସରରେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇବା ସହ ରାଜ୍ୟବାସୀ ପୁଲିସକୁ ସାହାଯ୍ୟ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ନବବର୍ଷରେ ଏଭଳି ସାହାଯ୍ୟ ସହଯୋଗ ବଜାୟ ରଖିବାକୁ ଡିଜି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ପୁନଶ୍ଚ ଓଡ଼ିଶା ପୁଲିସର କାର୍ଯ୍ୟକୁ ଡିଜି ପ୍ରଶଂସା କରିଛନ୍ତି। ନୂଆବର୍ଷରେ ଆହୁରି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଓଡ଼ିଶା ପୁଲିସ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିଭଳି ନୂଆବର୍ଷରେ ରାଜ୍ୟ ସରକାରଙ୍କ ୫-ଟି ଏବଂ ମୋ’ ସରକାର କାର୍ଯ୍ୟକ୍ରମକୁ ନିଷ୍ଠାର ସହ ସମ୍ପାଦନ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି।
ଆଜି ୨୦୧୯ ବର୍ଷ ବିଦାୟ ନେବ। ଆଉ କିଛି କ୍ଷଣ ପରେ ନବବର୍ଷ ୨୦୨୦ ଧୁମଧାମରେ ପାଳନ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ନବବର୍ଷ ଉପଲକ୍ଷେ ଟ୍ରାଫିକ ପରିଚାଳନା ଓ ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ପୁଲିସ ବନ୍ଦୋବସ୍ତ କରାଯାଇଛି। ପୁରୀରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଅଫିସର ନିୟୋଜିତ କରାଯାଇଛି। ପୁନଶ୍ଚ କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁର ଆଦି ସହରଗୁଡ଼ିକରେ ନବବର୍ଷ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଛି।