ପୂର୍ବତଟ ରେଳବାଇର ନୂଆ ପଦକ୍ଷେପ, ଦୁଇ ଚକିଆ ଯାନରେ ଆରମ୍ଭ ହେଲା ପେଟ୍ରୋଲିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଭୁବନେଶ୍ୱର ରେଳ ଷ୍ଟେସନରେ ଦୁଇ ଚକିଆ ଯାନରେ ସୁରକ୍ଷାକର୍ମୀମାନେ ପାଟ୍ରୋଲିଂ କରିବେ। ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେସନରେ ଦୁଇଚକିଆ ଯାନ ପେଟ୍ରୋଲିଂ ପ୍ରଣାଳୀର ପ୍ରଚଳନ ହୋଇଛି। ବ୍ୟାଟେରି ଦ୍ୱାରା ପରଚାଳିତ ଓ ପରିବେଶ ଉପଯୋଗୀ ସେଗୱ୍ୱେ ପ୍ରଣାଳୀକୁ ଆର୍ପିଏଫ୍ କର୍ମଚାରୀମାନେ ଆପଣେଇବେ। ଡ୍ୟୁଟି ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଏହି ଯାନକୁ ବ୍ୟବହାର କରାଯିବ। ଏହି ହାଇଟେକ୍ ପେଟ୍ରୋଲିଂ ପ୍ରଣାଳୀ ରେଳ ସୁରକ୍ଷା କର୍ମୀଙ୍କ ମନୋବଳ ବଢ଼ାଇବା ସହ କର୍ମକ୍ଷେତ୍ରରେ ବେଶ ସହାୟକ ହେବ। ଏହା ଅତ୍ୟନ୍ତ ସମୟ ସାପେକ୍ଷ ହୋଇଥିବାରୁ ଏହାର ପ୍ରଚଳନ କର୍ମଚାରୀଙ୍କ ମଧ୍ୟରେ ଆଦୃତ ଲାଭ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ବିଶେଷଭାବେ ରେଳ ସମ୍ପତ୍ତି ସୁରକ୍ଷା ଓ ଯାତ୍ରୀ ସୁରକ୍ଷା କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ଦେଶରେ ରେଳ ସେବାର ବ୍ୟାପକତା ମାତ୍ରା ଏତେ ଅଧିକ ଯେ ସମୟ ସମୟରେ ଯାତ୍ରୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯଥେଷ୍ଟ ସମୟ ଲାଗିଯାଇଥାଏ। ସୁରକ୍ଷାକର୍ମୀମାନେ ଧାର୍ଯ୍ୟ ସମୟରେ ଘଟଣାସ୍ଥଳରେ ପହଞ୍ଚିପାରନ୍ତି ନାହିଁ, ମାତ୍ର ଏବେ ସେଗୱେ ପ୍ରଣାଳୀ ଲାଗୁ ହେବ ପରେ ଅଭିଯୋଗ ପରେ ଆବଶ୍ୟକୀୟ ପଦକ୍ଷେପ ନେବା ବିଶେଷ ଅସୁବିଧା ହେବ ନାହିଁ। ପୂର୍ବରୁ ରାଜ୍ୟର କୌଣସି ବି ଷ୍ଟେସନରେ ଏଭଳି ସୁବିଧା ନଥିଲା।

ପୂର୍ବତଟ ରେଳପଥ ପକ୍ଷରୁ ପ୍ରଥମ ସେଗୱେ ପ୍ରଣାଳୀର ବିଶାଖାପାଟଣାରେ ଲାଗୁ କରାଯାଇଥିଲା। ରାଜ୍ୟରେ ଏହି ପଦ୍ଧତି ପ୍ରଥମ ଥର ପାଇଁ ଲାଗୁ କରାଯାଇଛି। ରେଳ ଷ୍ଟେସନରେ ଚୋରି, ଛିନତାଇ ଓ ଗାଳିଗୁଲୁଜ ଭଳି ଅଭିଯୋଗ ବହୁମାତ୍ରାରେ ଦେଖାଯାଏ। ଏଭଳି ଅପରାଧିଙ୍କୁ କାବୁ କରିବା ପାଇଁ ଘଟଣା ସ୍ଥଳରେ ଜଲଦି ପହଞ୍ଚିବାକୁ ପଡ଼େ।

ପୂର୍ବତଟ ରେଳପଥ ଲାଗୁ କରିଥିବା ଦୁଇ ଚକିଆ ସେଗୱେ ବ୍ୟବସ୍ଥା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ରେଳପଥ ମହାପ୍ରବନ୍ଧକ ଦୃଢ଼ୋକ୍ତି ବାଢ଼ିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବତଟ ରେଳପଥର ମହାପ୍ରବନ୍ଧ ବିଦ୍ୟାଭୂଷଣ, ଭବନେଶ୍ୱର ରେଳଷ୍ଟେସନର ପ୍ରମୁଖ ନିରାପତ୍ତା ଆୟୁକ୍ତ ରାଜା ରାମ ଓ ଖୋର୍ଦ୍ଧାରୋଡ ରେଳମଣ୍ଡଳ ପ୍ରବନ୍ଧକ ଶଶୀକାନ୍ତ ସିଂହ ପ୍ରମୁଖଙ୍କ ଉପସ୍ଥିତିରେ ଏହାକୁ ଉଦ୍ଘାଟନ କରିଥିଲେ।