ବଲାଙ୍ଗିରରେ ଯୋଗଦେଲେ ନୂତନ ଉପଜିଲ୍ଲାପାଳ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରର ନୂତନ ଉପ ଜିଲ୍ଲାପାଳ ଭାବେ ସୁଧାକର ନାଏକ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜସ୍ୱ ଆଦାୟ କିଭଳି ଅଧିକ ହେବ ସେ ଉପରେ ଦୃଷ୍ଟି ଦେବା ସହିତ କିଭଳି ପିଡିଏସ ବ୍ୟବସ୍ଥା ସୂଚାରୁ ରୂପେ ଚାଲିବ ଓ ଆଇନଶୃଙ୍ଖଳା ପରିସ୍ଥିତି ଠିକ ରହିବ ସେ ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି ଶ୍ରୀ ନାଏକ କହିଛନ୍ତି। ସେହିପରି ବଲାଙ୍ଗିରରେ ଚାଲିଥିବା ଜବରଦଖଲ ଉଚ୍ଛେଦ ସମ୍ପର୍କରେ ପଚାରିବାରୁ, ସ୍ଥିତି ଅନୁଧ୍ୟାନ କରିବା ପରେ ସେ ଏ ସମ୍ପର୍କରେ କହିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ୩ ବର୍ଷ ଧରି ଶ୍ରୀ ନାଏକ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଭାବେ କାମ କରୁଥିବାବେଳେ ନିକଟରେ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଥିଲା। ସେଠାରୁ ତାଙ୍କୁ ଗଞ୍ଜାମ ଜିଲ୍ଲାର କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ଅଧିକାରୀ ଦାୟିତ୍ୱ ଦିଆଯାଇଥିଲା। ଅନ୍ୟପଟେ ବଲାଙ୍ଗିରରେ ଅବସ୍ଥାପତି ଥିବା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ରାଜ୍ୟ ସରକାର ଗତ ୪ ତାରିଖରେ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚାରଣ କରିଥିବା ମାମଲାରେ ନିଲମ୍ବନ କରିଥିଲେ।