ବୈଷୟିକ ଶିକ୍ଷା ପରୀକ୍ଷାରେ ହେବ ସଂସ୍କାର: ପାଠ୍ୟପୁସ୍ତକରୁ ରହିବ ୩୦% ପ୍ରଶ୍ନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏକକ ବ୍ୟବସ୍ଥା ଲାଗୁ କରାଯିବ। ସବୁ ଟେକ୍ନିକାଲ ଷ୍ଟ୍ରିମର ପରୀକ୍ଷାରେ ସଂସ୍କାର ଆଣିବା ସହ ପରୀକ୍ଷାର ପ୍ରଶ୍ନପତ୍ରରେ ମଧ୍ୟ ପରିବର୍ତ୍ତନ କରାଯିବ। ସବୁ ପରୀକ୍ଷାର ପ୍ରଶ୍ନପତ୍ରରେ ପାଠ୍ୟପୁସ୍ତକରୁ ସର୍ବାଧିକ ୩୦ପ୍ରତିଶତ ପ୍ରଶ୍ନ ପଡ଼ିବ ବୋଲି ଏଆଇସିଟିଇ ଅଧ୍ୟକ୍ଷ ଅନୀଲ ଡି. ଶହଶ୍ରବୁଦେ୍ଧ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଡଭାନ୍ସ ପ୍ରଶିକ୍ଷଣ ପ୍ରଦାନ ଏବଂ ସେମନେଙ୍କ ମଧ୍ୟରେ ବର୍ହିଜ୍ଞାନର ବିକାଶକୁ ସେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପରୀକ୍ଷାରେ ସବୁ ପ୍ରଶ୍ନ ପାଠ୍ୟପୁସ୍ତକରୁ ନଆଣି କେବଳ ୩୦ପ୍ରତିଶତ ପ୍ରଶ୍ନକୁ ବାଦ୍ ଦେବେ ଅବଶିଷ୍ଟ ୭୦ପ୍ରତିଶତ ପ୍ରଶ୍ନ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ରହିବ।

ଦେଶରେ ବୈଷୟିକ ଶିକ୍ଷାର ବିକାଶ ଘଟିଥିବା ବେଳେ ମାନଦଣ୍ଡ ଏବଂ ପାଠପଢ଼ା ଶୈଳୀରେ ସୁଧାର ଆଣିବାକୁ ପ୍ରଥମଥର ଲାଗି ଉଦ୍ୟମ ହୋଇଛି। ସିବିଏସ୍ଇ ପକ୍ଷରୁ ୨୦୨୩ରୁ +୨ପ୍ରଶ୍ନପତ୍ରରେ ପରିବର୍ତ୍ତନ ଆଣିବା ପରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ପୂର୍ବରୁ ଟେକ୍ନିକାଲ ପରୀକ୍ଷାରେ ସବୁ ପ୍ରଶ୍ନୋତ୍ତର ସମ୍ପୃକ୍ତ ପାଠ୍ୟପୁସ୍ତକରୁ ରହୁଥିବା ବେଳେ ପିଲାମାନେ କେବଳ ନିର୍ଦ୍ଦିଷ୍ଟ ଜ୍ଞାନ ମଧ୍ୟରେ ସୀମିତ ରହୁଥିବା ସେ କହିଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ କେବଳ ପରୀକ୍ଷାରେ ପାସ୍ ହେବା ଲାଗି ନପଢ଼ି ନିଜର ଜ୍ଞାନକୁ ଯେପରି ପ୍ରତ୍ୟେକ ବିକାଶମାର୍ଗରେ ବ୍ୟବହାର କରିବେ ସେଥିଲାଗି ଏହି ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି।