ଲିଙ୍ଗରାଜ ମନ୍ଦିରକୁ ଆରମ୍ଭ ହେଲା ନୂଆ ବସ୍ ରୁଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ୟାପିଟାଲ୍ ରିଜିଅନ୍ ଅରବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍) ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସେପ୍ଟେମ୍ବର ୨୭ ତାରିଖରେ ଭୁବନେଶ୍ୱରବାସୀଙ୍କ ସେବାରେ ମାଷ୍ଟରକ୍ୟାଣ୍ଟିନରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ନୂଆ ରୁଟ୍ ସେବା ଆରମ୍ଭ କରୁଛନ୍ତି। ମନ୍ଦିରମାଳିନୀ ଭୁବନେଶ୍ୱର ଏକ ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ରୂପେ ଲିଙ୍ଗରାଜ ମନ୍ଦିର ବିଶ୍ୱବିଦିତ। ନୂଆ ରୁଟ୍ ନଂ ୩୨ ଭୁବନେଶ୍ୱର ରେଲୱେ ଷ୍ଟେସନଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ୫ କିଲୋମିଟର ଦୂରତା ଅତିକ୍ରମ କରିବ।

କ୍ରୁଟର ଜେନେରାଲ ମ୍ୟାନେଜର (କର୍ମିକ ଏବଂ ପ୍ରଶାସନିକ ଅଧିକାରୀ) ଦିପ୍ତୀ ମହାପାତ୍ର କହିଛନ୍ତି, ଏହି ବସ୍ ସେବା ସହରବାସୀ ଏବଂ ପର୍ଯ୍ୟଟକମାନଙ୍କୁ ଲିଙ୍ଗରାଜ ମନ୍ଦିର, ରାଜ୍ୟ ସଂଗ୍ରହାଳୟ, କେଦାରଗୌରୀ ମନ୍ଦିର ଭଳି ଅନେକ ଐତିହାସିକ ପର୍ଯ୍ୟଟନସ୍ଥଳକୁ ଯୋଡ଼ିବ ଏବଂ ପୁରୁଣା ଭୁବନେଶ୍ୱରବାସୀ ଆଖପାଖର ବିଭିନ୍ନ ସ୍ଥାନକୁ ଯାତାୟାତ କରିପାରିବେ।

ସମୁଦାୟ ୪ଟି ବସ୍ ଏହି ରୁଟ୍ରେ ଥିବା ୧୪ଟି ବସ୍ ଷ୍ଟପ୍ ମଧ୍ୟରେ ସେବା ନିବୃତ୍ତ ହେବ। ପ୍ରତ୍ୟେକ ଦିନ ପ୍ରଥମ ବସ୍ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଡିପୋରୁ ସକାଳ ୬.୪୦ରେ ବାହାରିବ ଏବଂ ରାତି ୮.୫୦ ଯାଏ ଏହି ବସ୍ ସେବା ମିଳିବ। ଠିକ୍ ସେହିପରି ସକାଳ ୭.୨୦ରେ ଲିଙ୍ଗରାଜ ମନ୍ଦିରରୁ ପ୍ରଥମ ବସ୍ ବାହାରିବ ଓ ରାତି ୯.୪୦ରେ ଶେଷ ବସ୍ ମିଳିବ। ବ୍ୟସ୍ତବହୁଳ ସମୟରେ ପ୍ରତି ୨୦ ମିନିଟ୍ ସମୟ ବ୍ୟବଧାନରେ ଏବଂ ଅନ୍ୟ ସମୟରେ ପ୍ରତି ୩୦ ମିନିଟ୍ ବ୍ୟବଧାନରେ ଏହି ବସ୍ ସେବା ମିଳିବ।

ଏହି ନିମ୍ନଲିଖିତ ବସ୍ ଷ୍ଟପରେ ରୁଟ୍ ନଂ ୩୨ ଯାତାୟାତ କରିବା ସମୟରେ ରହିବ। ବସ୍ ଷ୍ଟପ୍ ଗୁଡ଼ିକ ହେଲା ମାଷ୍ଟରକ୍ୟାଣ୍ଟିନ୍, ଅଶୋକନଗର, ରାଜମହଲ ଛକ, କଳ୍ପନା ଛକ, ରାଜ୍ୟ ସଂଗ୍ରହାଳୟ, ବିଜେବି କଲେଜ, ଏନସିସି କ୍ୟାଣ୍ଟିନ୍, ଶ୍ରୀ ହସପିଟାଲ୍, ରବି ଟକିଜ୍ ଛକ, କେଦାରଗୌରୀ ମନ୍ଦିର, ଲିଙ୍ଗରାଜ ମନ୍ଦିର ରୋଡ଼ ଏବଂ ଲିଙ୍ଗରାଜ ମନ୍ଦିର।