ଡୋକଲାମକୁ ନୂତନ ରାସ୍ତା, ଏବେ ୭ଘଣ୍ଟା ନୁହେଁ ୪୦ମିନିଟ ଲାଗିବ

ନୂଆଦିଲ୍ଲୀ,ଏଜେନ୍ସି: ଚୀନ ସୀମାନ୍ତ ଡୋକଲାମକୁ ସଂଯୋଗ କରିବା ପାଇଁ ଭାରତୀୟ ସୀମା ସଡ଼କ ନିର୍ମାଣ ସଂସ୍ଥା ପକ୍ଷରୁ ଏକ ନୂତନ ସଡ଼କ ନିର୍ମାଣ କରାଯାଇଛି। ଯାହାଦ୍ୱାର ସୁବିଧାରେ ଯବାନମାନେ ଏହି ରାସ୍ତାଦେଇ ଡୋକଲାମରେ ପହଞ୍ଚି ପାରିବେ। ଡୋକଲା ବେସରୁ ଡୋକଲାକୁ ଯିବା ପାଇଁ ୭ଘଣ୍ଟା ଲାଗୁଥିବାବେଳେ ବର୍ତ୍ତମାନ ଏହି ରାସ୍ତାରେ ସେମାନଙ୍କୁ ୪୦ମିନିଟ ସମୟ ଲାଗିବ ବୋଲି କୁହାଯାଉଛି।

୨୦୧୭ରେ ଡୋକଲାମରେ ଚୀନର ନିର୍ମାଣକୁ ନେଇ ବିବାଦ ଦେଖାଦେଇଥିଲା। ସେତେବେଳେ ଯାତାୟାତ ପାଇଁ ଭଲ ସଡ଼କ ନଥିବାରୁ ଭାରତ, ଭୁଟାନ ଓ ଚୀନର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଯବାନମାନେ ଡୋକଲାମ ଯିବାକୁ ବାଧ୍ୟ ହେଉଥିଲେ। ଯାହାଦ୍ୱାରା ସେଠାରେ ସେନା ମୁତୟନ ବିଳମ୍ବ ହେଉଥିଲା। ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ବର୍ଡର ରୋଡ ଅଫ୍ ଅର୍ଗାନାଇଜେସନ ପକ୍ଷରୁ ନୂତନ ରାସ୍ତା ନିର୍ମାଣ କରାଯାଇଛି। ୨୦୧୭ ଜୁନରେ ଚୀନର ଯବାନମାନେ ଡୋକଲାମରେ ପ୍ରବେଶ କରି ଆସ୍ଥାନ ଜମାଇବାକୁ ଉଦ୍ୟମ କରିଥିଲେ। ଏହାକୁ ଭାରତୀୟ ଯବାନମାନେ ବିରୋଧ କରିବାରୁ ସାମରିକ ବିବାଦ ଦେଖାଦେଇଥିଲା। ବାରମ୍ବାର ଆଲୋଚନା ପରେ ଚଳିତ ଅଗଷ୍ଟ ୨୭ରେ ଏହି ବିବାଦର ଅବସାନ ଘଟିଥିଲା।