ଚାକିରିର ୭ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦% ବର୍ଦ୍ଧିତ ପେନସନ୍

ନୂଆଦିଲ୍ଲୀ: ଏଣିକି ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ନିକଟ ସମ୍ପର୍କୀୟ ମଧ୍ୟ ୧୦ ବର୍ଷର ଅବଧି ଲାଗି ଶେଷ ଦରମାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନସନ ପାଇପାରିବେ। କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ ଅନୁଯାୟୀ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପାରିବାରିକ ପେନସନ୍ ଦିଆଯାଇଥାଏ।

ସରକାରୀ ଚାକିରିରେ ସର୍ବନିମ୍ନ ୭ ବର୍ଷ ପୂରଣ କରିଥିଲେ ପାରିବାରିକ ପେନସନ୍ ଶେଷ ଦରମାର ୫୦% ବର୍ଦ୍ଧିତ ଦରରେ ୧୦ ବର୍ଷର ଅବଧି ଲାଗି ଦିଆଯାଇଥାଏ। ଏହାପରେ ପାରିବାରିକ ପେନସନ ଶେଷ ଦରମାର ୩୦% ହାରରେ ପ୍ରଦାନ କରାଯାଇଥାଏ। ତେବେ ଚାକିରି କରିବାର ୭ ବର୍ଷ ମଧ୍ୟରେ ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ ତା’ହେଲେ ତାଙ୍କ ପରିବାରକୁ ୩୦% ହାରରେ ପାରିବାରିକ ପେନସନ ମିଳିଥାଏ।

ଏପରି କ୍ଷେତ୍ରରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନସନ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି। ଏବେ କେନ୍ଦ୍ର ସରକାର ହୃଦବୋଧ କରିଛନ୍ତି ଯେ ପ୍ରାରମ୍ଭିକ କାର୍ଯ୍ୟକାଳ ସମୟରେ ସରକାରୀ କର୍ମଚାରୀଙ୍କ ଦରମା କମ ହୋଇଥିବା କାରଣରୁ ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାର ପାଇଁ ବର୍ଦ୍ଧିତ ହାରରେ ପାରିବାରିକ ପେନସନ ପ୍ରଦାନ କରାଯିବାର ଅଧିକ ଆବଶ୍ୟକତା ରହିଛି।

ତେଣୁ ସରକାର କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ରେ ସଂଶୋଧନ କରିଛନ୍ତି। ଏ ସଂକ୍ରାନ୍ତରେ ୧୯ ସେପ୍ଟେମ୍ବର, ୨୦୧୯ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉପରୋକ୍ତ ସଂଶୋଧନ ୧ ଅକ୍ଟୋବର, ୨୦୧୯ରୁ ଲାଗୁ ହେବ।

ଏହି ତାରିଖର ୧୦ ବର୍ଷ ପୂର୍ବରୁ ୭ ବର୍ଷର କାର୍ଯ୍ୟକାଳ ପୂରଣ କରିନପାରି ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ପରିବାର ମଧ୍ୟ ୧୦ ବର୍ଷ ଲାଗି ବର୍ଦ୍ଧିତ ହାରରେ ପାରିବାରିକ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ତେବେ ଏହି ସୁବିଧା ସେମାନେ ୧ ଅକ୍ଟୋବର, ୨୦୧୯ଠାରୁ ପାଇବେ।