ଚିତ୍ରକୋଣ୍ଡା ବିଧାୟକଙ୍କ ଦ୍ଵାରା ନୂତନ ପଞ୍ଚାୟତ ଗୃହ ଉଦଘାଟନ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଢି ପଞ୍ଚାୟତ କାର୍ଯ୍ୟାଳୟ ଆଜି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ପୂର୍ବରୁ ଏହି ପଞ୍ଚାୟତରେ ନିଜସ୍ୱ କାର୍ଯ୍ୟାଳୟ ନଥିବାରୁ ଦଶନ୍ଧି ଦଶନ୍ଧି ଧରି ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ସମସ୍ତ ସରକାରୀ କାର୍ଯ୍ୟ ଚାଲିଥିଲା। ବର୍ତ୍ତମାନ ଏହି ପଞ୍ଚାୟତର ପଞ୍ଚାୟତ ଅଧିକାରୀ ଭାବେ ଦେବେନ୍ଦ୍ର ନାଥ ନାୟକ ଯୋଗଦେବା ପରେ ସେ ତାଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟାଳୟ କରିଛନ୍ତି।

ପୂର୍ବରୁ ନିଜର ପଞ୍ଚାୟତ କାର୍ଯ୍ୟାଳୟ ନଥିବାରୁ ସରକାରୀ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିଲା। ବର୍ତ୍ତମାନ କିନ୍ତୁ ସେସବୁ ସମସ୍ୟା ଦେଖାଦେବ ନାହିଁ ବୋଲି ପଞ୍ଚାୟତ ଅଧିକାରୀ ଦେବେନ୍ଦ୍ର ନାଥ ନାୟକ ସୂଚନା ଦେଇଛନ୍ତି। ଆଜିର ଉଦଘାଟନ ସମାବେଶରେ କୋରୁକୋଣ୍ଡା ବିଡ଼ିଓ ଅଂଶୁମାନ ମହାପାତ୍ର, ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ପଡିଆମୀ, ସ୍ଥାନୀୟ ସରପଞ୍ଚ ବିଶ୍ୱନାଥ ହନ୍ତାଳଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ।