ଇରାନରେ ନୂତନ ତୈଳ କ୍ଷେତ୍ର ଠାବ

ତେହେରାନ୍,ଏଜେନ୍ସି: ଇରାନରେ ୫୩ ବିଲିୟନ୍ ବ୍ୟାରେଲ୍ ଗଚ୍ଛିତ ଅଶୋଧିତ ତୈଳ କ୍ଷେତ୍ରର ସନ୍ଧାନ ମିଳିଛି ବୋଲି ରବିବାର ରାଷ୍ଟ୍ରପତି ହସନ ରୌହାନୀ କହିଛନ୍ତି। ଏହି ତୈଳକ୍ଷେତ୍ର ଠାବ କରିବା ପରେ ଇରାନ୍ ବିଶ୍ୱର ତୃତୀୟ ସର୍ବାଧିକ ତୈଳଧନୀ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ରାଷ୍ଟ୍ରପତି ରୌହାନୀ ଦାବି କରିଛନ୍ତି।

ଇରାନର ଦକ୍ଷିଣ-ପଶ୍ଚିମ ଖୁଜେସ୍ତାନ ପ୍ରଦେଶରେ ପ୍ରାୟ ୨,୪୦୦ ବର୍ଗ କିଲୋମିଟର ବ୍ୟାପୀ ନୂତନ ତୈଳକ୍ଷେତ୍ରର ସନ୍ଧାନ ମିଳିଥିବା ଖବର ସରକାରୀ ଟିଭିରେ ପ୍ରସାରଣ କରାଯାଇଛି। ଖୋଦ ରୌହାନୀ ଇରାନ ଟିିଭିରେ ଏହି ବିଷୟ ସ୍ୱୀକାର କରିଛନ୍ତି। ଇରାକ୍ର ଓମିଦିୟେ ପ୍ରଦେଶ ସୀମାକୁ ଲାଗିଛି ଇରାନର ଖୁଜେସ୍ତାନ। ସୀମା ନିକଟରୁ ମାତ୍ର ୨୦୦ କିଲୋମିଟର ଦୂରରେ ଭୂପୃଷ୍ଠରୁ ପ୍ରାୟ ୮୦ ମିଟର ଗଭୀରରେ ଅଶୋଧିତ ତୈଳ ମହଜୁଦ ଅଛି। ଇରାନ୍ ତୈଳ ରପ୍ତାନିକାରୀ ରାଷ୍ଟ୍ର ସଂଗଠନରେ ସଭ୍ୟ ଅଛି। ଇରାନ୍ ଭୂଗର୍ଭରେ ବିପୁଳ ଗ୍ୟାସ ଓ ଅଶୋଧିତ ତୈଳ ମହଜୁଦ ଅଛି।

ତେବେ ଯୁକ୍ତରାଷ୍ଟ୍ର ଆମେରିକା ସହ ଇରାନ୍ର କୂଟନୈତିକ ସମ୍ପର୍କ ଭଲ ନଥିବାରୁ ବହୁ ଦେଶ ଇରାନ୍ଠାରୁ ତୈଳ କିଣିବାକୁ ଭୟ କରୁଛନ୍ତି। କେବଳ ବ୍ରିଟେନ୍, ଚୀନ, ଫ୍ରାନ୍ସ, ଜର୍ମାନୀ ଓ ରୁଷିଆ ଯୁକ୍ତରାଷ୍ଟ୍ର ଆମେରିକାର ଇରାନ୍ ବାସନ୍ଦ ଘୋଷଣାକୁ ମାନୁନାହାନ୍ତି।