କଟକ ଶିଶୁ ଭବନକୁ ପଶିଲା କରୋନା, ପ୍ରଶାସନ ପକ୍ଷରୁ ନୂଆ ଗାଇଡ ଲାଇନ

କଟକ,ଏନ୍ଏନ୍ଏସ୍: କଟକରେ ଅଣାୟତ୍ତ ହେଉଛି କରୋନା ଭୂତାଣୁ। ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଓ ଏସସିବି ମେଡିକାଲ ପରେ ଏବେ ଶିଶୁଭବନକୁ କରୋନା ଛୁଇଁଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ କୋଭିଡ ଗାଇଡ ଲାଇନ ଜାରି କରାଯାଇଛି। ଜିଲ୍ଲାରେ ଗତକାଲି ଚିହ୍ନଟ ୨୩ ନୂଆ ପଜିଟିଭଙ୍କ ମଧ୍ୟରୁ ଜଣେ ଶିଶୁଭବନ ପରିସରର ବୋଲି ଜଣାପଡ଼ିଥିଲା। ସେହିପରି ଏସସିବି ମେଡିକାଲରୁ ୭ କର୍ମଚାରୀ, ଆଇସୋଲେସନ ୱାର୍ଡରୁ ୪ ଜଣ ପଜିଟିଭ ବାହାରିଛନ୍ତି। ଜଗତପୁରର ଏକ ପ୍ରାଇଭେଟ ହସ୍ପିଟାଲରୁ ଜଣେ, ଆଠଗଡ଼, ବଡ଼ମ୍ୱା, ପୀରବଜାର ଅଞ୍ଚଳରୁ ଜଣେ ଲେଖାଏଁ, ଚୌଦ୍ଵାରରୁ ୫ ଜଣ, ଆଠଗଡ଼ ଏନଏସିରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।

ଏନେଇ କଟକ ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ଗାଇଡ ଲାଇନ ଜାରି ହୋଇଛି। ତେବେ ହଟସ୍ପଟ ଅଞ୍ଚଳରୁ କଟକ ଆସୁଥିଲେ ୧୪ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ସେହିପରି ଗଞ୍ଜାମ, ଗଜପତି, ବାଲେଶ୍ୱର, ଯାଜପୁର ଓ ଖୋର୍ଦ୍ଧା ଏହି ୫ଟି ଜିଲ୍ଲାରୁ ଆସିଲେ କ୍ୱାରେଣ୍ଟିନରେ ରହିବାକୁ ହେବ। ଏଥିସହ ନିଶ୍ଚିନ୍ତକୋଇଲି, ନରସିଂହପୁର, ବଡମ୍ବା, ମହାଙ୍ଗା ଓ ତିଗିରିଆରୁ କଟକ ସହରକୁ ଆସିଲେ ସଙ୍ଗରୋଧରେ ରହିବାକୁ ହେବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।