ସଟଡାଉନକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ମାସର ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଉଛି। ଆଉ ଏବେ ଏନେଇ କମିଶନରେଟ ପୁଲିସ କିଛି ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ସମୟରେ ପୁଲିସ, ନର୍ସିଂହୋମ କର୍ମଚାରୀ, ସରକାରୀ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯା’ଆସ କରିପାରିବେ। ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ କର୍ମଚାରୀ, କଳକାରଖାନା ଓ ହୋଟେଲ କର୍ମଚାରୀ ମଧ୍ୟ ପରିଚୟ ପତ୍ର ଦେଖାଇ ଯାଇପାରିବେ। ଆଉ ଷ୍ଟେସନ, ବସଷ୍ଟାଣ୍ଡ , ଏୟାପୋର୍ଟ ପାଇଁ ଗାଡ଼ିକୁ ପୁଲିସ ପାସ୍ ଦରକାର ପଡ଼ିବ। ସେହିପରି ସଟଡାଉନରେ ବାହାଘର ଥିଲେ ପୁଲିସ ପାଖରୁ ପାସ୍ ନେବାକୁ ପଡ଼ିବ। ଟ୍ୱିନ-ସିଟି ବାହାରକୁ ଯିବାକୁ ଚାହୁଁଥିବା ଘରୋଇ ଗାଡ଼ିକୁ ପୁଲିସ ପାଖରୁ ଅନୁମତି ନେବାକୁ ପଡ଼ିବ। ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏସଏମଏସ ଓ ୧୦୦କୁ ଡାଏଲ କରି ପାସ୍ ନେବେ ବୋଲି କମିଶନରେଟ ପୁଲିସ ସୂଚନା ପ୍ରଦାନ କରିଛନ୍ତି।

ସେହିପରି ଏହି ସଟଡାଉନ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ପ୍ରଦାନ କରିଛନ୍ତି। ଟେଲିକମ୍, ମାଲ ପରିବହନ କୃଷି ସମ୍ପର୍କିତ କାର୍ଯ୍ୟ ଚାଲୁ ରହିବ। କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ ସଂସ୍କାର କାର୍ଯ୍ୟ ହୋଇପାରିବ ବୋଲି ଶ୍ରୀ ଦାସ କହିଛନ୍ତି।

ସୂଚନାଯୋଗ୍ୟ, ଏହି ଦୁଇ ଦିନିଆ ସଟଡାଉନକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପକ୍ଷରୁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି। ମେଡିକାଲ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେକୌଣସି ଲୋକ ଯାଇପାରିବେ। ଏୟାରପୋର୍ଟ, ରେଳ ଷ୍ଟେସନ, ବସ୍ ଟର୍ମିନାଲ ସହିତ ଜଡ଼ିତ କର୍ମଚାରୀଙ୍କ ଅନୁମତି ଦିଆଯିବ। ସ୍ୱିଗି, ଜମାଟୋ ଡେଲିଭରି ବୟ ମଧ୍ୟ ଯା’ଆସ କରିପାରିବେ। ଖବରକାଗଜ ହକରଙ୍କୁ ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ବିକ୍ରି କରିବାର ଅନୁମତି ମିଳିବ।