ନୂଆଦିଲ୍ଲୀ, ଭୁବନେଶ୍ୱର, ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଶିକ୍ଷା ନୀତି ୨୦୨୦ ତଥା ଏହାର ଅଧୀନରେ ଗଠିତ ସ୍ୱତନ୍ତ୍ର ଶିକ୍ଷା ଜୋନ ଗ୍ରାମାଞ୍ଚଳ ତଥା ଜନଜାତି ଅଞ୍ଚଳରେ ଥିବା ଶିକ୍ଷାର ପାର୍ଥକ୍ୟକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଓଡ଼ିଶା ସମେତ ଦେଶର ଭିନ୍ନକ୍ଷମ ଶ୍ରେଣୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବ ବୋଲି ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମୋଦୀ ସରକାରଙ୍କ ନୂଆ ଜାତୀୟ ଶିକ୍ଷାନୀତି ପ୍ରସଙ୍ଗରେ ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ମୋଦୀ ସରକାରଙ୍କର ଥିବା ଅଦମ୍ୟ ପ୍ରତିବଦ୍ଧତାକୁ ନୂଆ ଶିକ୍ଷା ନୀତି ସହାୟକ ହେବ। ଆବଶ୍ୟକ ଏବଂ ବିଶ୍ଲେଷଣ ଆଧାରିତ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ନୂଆ ଚିନ୍ତାଧାରାକୁ ବିକଶିତ କରିବା ପାଇଁ ପ୍ରସ୍ତୁତ ହୋଇଥବା ନୂଆ ଶିକ୍ଷାନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ। ୧୦ +୨ ଢାଞ୍ଚାରେ ପରିବର୍ତ୍ତନ କରି ଏହା ସ୍ଥାନରେ ୫+୩+୩+୪ ବ୍ୟବସ୍ଥାର ସଂଶୋଧନ କରାଯାଇଛି । ବୈପ୍ଳବିକ ସଂସ୍କାର ଭାବେ ପରିଗଣିତ ନୂଆ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କ ସାମୂହିକ ବିକାଶକୁ ଗୁରୁତ୍ୱ ଦେବ ଓ ପିଲାଙ୍କର ବୌଦ୍ଧିକ କ୍ଷମତାକୁ ବିକଶିତ କରିବ। ଛାତ୍ରଛାତ୍ରୀ ବର୍ତ୍ତମାନର ନାଗରିକ ଏବଂ ଦେଶର ବିକାଶ ସହ ଜଡ଼ିତ ନୀତିରେ ସେମାନଙ୍କର ମଧ୍ୟ ସମାନ ଭାଗୀଦାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱାସ କରନ୍ତି। ନୂଆ ଜାତୀୟ ଶିକ୍ଷାନୀତି-୨୦୨୦ ଦେଶର ଶିକ୍ଷା ବ୍ୟବସ୍ଥାରେ ରହିଥିବା ଗ୍ୟାପକୁ ଦୂର କରିବ ଏବଂ ଆମ ଦେଶର ଶିକ୍ଷାଗତ ଦୃଶ୍ୟପଟକୁ ପରିବର୍ତ୍ତନ କରିବ। ସମାବେଶୀ କାର୍ଯ୍ୟକ୍ରମ ମୋଦୀ ସରକାରଙ୍କ ମନ୍ତ୍ର ହୋଇଛି ଏବଂ ଭାରତ ସରକାରଙ୍କ ସମସ୍ତ ନୀତି ଢାଞ୍ଚା ଏହାର ଉଦାହରଣ। ଶିକ୍ଷା ବାଧ୍ୟତାମୂଳକ; ତେଣୁ ଏହାକୁ ଦୁର୍ଗମ ଓ ଅପହଞ୍ଚ ଇଲାକାରେ ପହଞ୍ଚାଇବାକୁ ହେବ। ନୂଆ ଜାତୀୟ ଶିକ୍ଷା ନୀତି ବିଶେଷ ଭାବରେ ଭାରତର ଗ୍ରାମାଞ୍ଚଳରେ ସମସ୍ତଙ୍କୁ ସମାନ ଭାବରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।