ଅଗ୍ନିଶମ କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍

ନାଲି ରଙ୍ଗର ଟ୍ରାକ୍ ପ୍ୟାଣ୍ଟକୁ ହଳଦିଆ ଟି-ସାର୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପକ୍ଷରୁ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ର ବ୍ୟବସ୍ଥା କରାଯାଇଛି। ଏଣିକି କର୍ମଚାରୀମାନେ ନନ୍-ଫାୟାର ଅପରେସନାଲ କାର୍ଯ୍ୟରେ ଥିବା ସମୟରେ ନାଲି ରଙ୍ଗର ଟ୍ରାକ୍ ପ୍ୟାଣ୍ଟ୍ ସହିତ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିବା ନେଇ ନିଷ୍ପତ୍ତି ହୋଇଛି। ବାତ୍ୟା, ବନ୍ୟା ଏବଂ କୌଣସି ବିପର୍ଯ୍ୟୟ ମୁକାବିଲା ଓ ସ୍ପେଶାଲ ସର୍ଭିସ କଲ୍ ସମୟରେ ଅଗ୍ନିଶମ କର୍ମଚାରୀମାନେ ଏହି ପୋଷାକ ପିନ୍ଧି କାର୍ଯ୍ୟ କରିବେ।

ଏ ନେଇ ଗୃହବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ଡ୍ରେସ୍ କୋଡ୍ ଅଗ୍ନିଶମ ବାହିନୀର ସମସ୍ତ ର୍ୟାଙ୍କ୍ର ଅଫିସରଙ୍କ ପାଇଁ ଲାଗୁ କରାଯାଇଛି। ତେବେ ଲାଗୁ ହୋଇଥିବା ନାଲିରଙ୍ଗର ଟ୍ରାକ୍ ପ୍ୟାଣ୍ଟ୍ ରେ ‘ଓଡ଼ିଶା ଫାୟାର ସର୍ଭିସ’ ଲେଖାଯିବ। ସେହିପରି ହଳଦିଆ ଟି-ସାର୍ଟରେ ନାଲି ରଙ୍ଗରେ ‘ଫାୟାର’ ବୋଲି ଲେଖାଯିବା ନେଇ ସରକାର ନିଷ୍ପତ୍ତିି ନେଇଛନ୍ତି।

ସୂଚନା ଅନୁଯାୟୀ, ସାଧାରଣତଃ ଅଗ୍ନିଶମ ବାହିନୀ କର୍ମଚାରୀମାନଙ୍କର ମାଟିଆ ରଙ୍ଗର ଡ୍ରେସ୍ କୋଡ୍ ରହିଛି। ପୂର୍ବରୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ବାତ୍ୟା, ବନ୍ୟା, ବିପର୍ଯ୍ୟୟ ମୁକାବିଲା ଓ ସ୍ପେଶାଲ ସର୍ଭିସ୍ କଲ୍ ସମୟରେ ମାଟିଆ ରଙ୍ଗର ଡ୍ରେସ୍ କୋଡ୍ ପିନ୍ଧି କାର୍ଯ୍ୟ କରୁଥିଲେ। କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରାଯାଇ ନାଲି ରଙ୍ଗର ଟ୍ରାକ୍ ପ୍ୟାଣ୍ଟ୍ ଓ ହଳଦିଆ ରଙ୍ଗ ଟି-ସାର୍ଟର ବ୍ୟବସ୍ଥା କରାଯାଇଛି।