ଜଳିଗଲା ଚଣ୍ଡିଗଡ଼-କୋଚୁବେଲୀ ଏକ୍ସପ୍ରେସ୍‌ର ପାୱାର ବଗି

ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର ଦିପହରରେ ନୂଆଦିଲ୍ଲୀ ରେଳଷ୍ଟେସନରେ ୮ନଂ ପ୍ଲାଟ୍‌ଫର୍ମରେ ଛିଡ଼ା ହୋଇଥିବା ଏକ ଟ୍ରେନ୍ ବଗିରେ ହଠାତ୍‌ ନିଆଁ ଲାଗିଯାଇଥିଲା। ପରେ ଘଟଣାସ୍ଥଳରେ ୪ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏ ନେଇ ଦର୍ଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ସୂଚନା ଅନୁଯାୟୀ ଚଣ୍ଡିଗଡ଼-କୋଚୁବେଲୀ ଏକ୍ସପ୍ରେସର ପାୱାର ବଗିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଥିଲା। ତେବେ ସେହି ସମୟରେ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିରେ ଯାତ୍ରୀମାନେ ସୁରକ୍ଷିତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଉକ୍ତ ଟ୍ରେନଟିକୁ ମରାମତି ପାଇଁ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ପଠାଇ ଦିଆଯାଇଛି।