ଘରୋଇ ହସ୍ପିଟାଲ ଲାଗି ନୂଆ ନିୟମ, ୫୦% ସାଧାରଣ ଶଯ୍ୟା କରୋନା ପାଇଁ ସଂରକ୍ଷିତ ରହିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ବଢ଼ିଚାଲିଥିବାବେଳେ ଟିଏମ୍ସି, ସିସିଏଚ୍ ଓ କୋଭିଡ୍ କେୟାର ସେଣ୍ଟର ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ବଢ଼ୁଥିବା ରୋଗୀଙ୍କ ଚିକିତ୍ସା ଲାଗି ରାଜ୍ୟର ୫ଟି ମହାନଗର ନିଗମରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୩ଠରୁ ଅଧିକ ଶଯ୍ୟା ଥିବା ଘରୋଇ ହସ୍ପିଟାଲଗୁଡ଼ିକ ଏଣିକି ନିଜର ସର୍ବନିମ୍ନ ୫୦ ପ୍ରତିଶତ ସାଧାରଣ ଶଯ୍ୟା ଓ ୮୦ ପ୍ରତିଶତ ଆଇସିୟୁ ଶଯ୍ୟାକୁ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ପଡ଼ିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ୩୦ରୁ ଅଧିକ ଶଯ୍ୟାବିଶିଷ୍ଟ ଘରୋଇ ହସ୍ପିଟାଲଗୁଡ଼ିକ ନିଜର ସର୍ବନିମ୍ନ ୫୦ ପ୍ରତିଶତ ଜେନେରୋଲ୍ ବେଡ୍ ଓ ୮୦ ପ୍ରତିଶତ ଆଇସିୟୁ ବେଡ୍ କୋଭିଡ୍ ସଂକ୍ରମିତଙ୍କ ପାଇଁ ରଖିବାକୁ ବାଧ୍ୟ। ଏହାସହ ସମଗ୍ର ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିବର୍ତ୍ତନ କରିବାର ବିକଳ୍ପ ମଧ୍ୟ ରଖିବେ। ଏସବୁ ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ଦ୍ୱାରା ଅଗଷ୍ଟ ୨୮ ତାରିଖରେ ଧାର୍ଯ୍ୟ ହୋଇଥିବା ଚିକିତ୍ସା ଦର ମୁତାବକ ରୋଗୀଙ୍କ ଠାରୁ ଚିକିତ୍ସା ଖର୍ଚ୍ଚ ନେଇପାରିବେ। ରାଜ୍ୟପାଳଙ୍କ ନିର୍ଦ୍ଦେଶ ଆଧାରରେ ଏହି ନିର୍ଦ୍ଦେଶନାମାକୁ ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ବିଜ୍ଞପ୍ତି ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଘରୋଇ ହସ୍ପିଟାଲରେ ସାଧାରଣ ଶଯ୍ୟା ପାଇଁ ଦୈନିକ ୨୯୫୦ରୁ ୪୭୫୦, ଆଇସିୟୁ ୧୦ରୁ ୧୭ ହଜାର ଓ ଆଇସିୟୁ ସହ ଭେଣ୍ଟିଲେଟର ପାଇଁ ଦିନକୁ ୧୨ରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ଏହି ଦର ୩୦ରୁ ଅଧିକ ବେଡ୍ ଥିବା ଘରୋଇ ହସ୍ପିଟାଲ୍ ପାଇଁ ଲାଗୁ ହେଉଛି।