ଡିଜିଟାଲ୍ ଫାର୍ମା ‘ନେଟମେଡସ୍’ର ଅଂଶଧନ ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ୍

ମୁମ୍ବାଇ,ଏଜେନ୍ସି: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ଉଦ୍ୟୋଗ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (ଆରଆରଭିଏଲ) ପକ୍ଷରୁ ୬୨୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଡିଜିଟାଲ ଫାର୍ମା କମ୍ପାନୀ ‘ନେଟମେଡସ୍’ ନାମରେ ପରିଚିତ ଭିଟାଲିକ୍ ହେଲଥକେୟାରର ସର୍ବାଧିକ ଅଂଶଧନ ଅଧିଗ୍ରହଣ କରାଯାଇଛି। ଏହି ନିବେଶ ଭିଟାଲିକର ୬୦ ପ୍ରତିଶତ ଇକ୍ୱିଟି ସେୟାର ପୁଞ୍ଜି ହାସଲ କରିବା ସହିତ ଏହାର ସହଯୋଗୀ ସଂସ୍ଥା ଯଥା ଟ୍ରେସାରା ହେଲଥ ପ୍ରାଇଭେଟ୍ ଲିମିଟେଡ, ନେଟମେଡସ୍ ମାର୍କେଟ୍ ପ୍ଲସ ଲିମିଟେଡ୍ ଓ ଦାଢ଼ା ଫାର୍ମା ଡିଷ୍ଟ୍ରିବ୍ୟୁସନ ପ୍ରାଇଭେଟ୍ ଲିମିଟେଡର ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ଇକ୍ୱିଟି ମାଲିକାନାତ୍ୱକୁ ଉପସ୍ଥାପିତ କରୁଛି।

୨୦୧୫ରେ ପ୍ରତିଷ୍ଠାଲାଭ କରିଥିବା ଭିଟାଲିକ୍ ଓ ଏହାର ସହଯୋଗୀ ସଂସ୍ଥାଗୁଡ଼ିକ ଫାର୍ମା ବିତରଣ, ବିକ୍ରି ଓ ବ୍ୟବସାୟିକ ସହାୟତା ସେବାରେ ନିୟୋଜିତ ରହିଛନ୍ତି। ଏହାର ସହଯୋଗୀ ସଂସ୍ଥାଗୁଡ଼ିକ ସାମଗ୍ରିକ ଭାବେ ନେଟମେଡସ୍ ନାମରେ ଅନଲାଇନ ଫାର୍ମାସି ପ୍ଲାଟଫର୍ମ ଚଲାଉଛନ୍ତି ଯାହା ଗ୍ରାହକଙ୍କୁ ଫାର୍ମାସିଷ୍ଟଙ୍କ ସହ ଯୋଡ଼ୁଛି ଏବଂ ଔଷଧ, ପୃଷ୍ଟିଯୁକ୍ତ ସ୍ୱାସ୍ଥ୍ୟ ଓ ୱେଲନେସ ଉତ୍ପାଦ ଘରେ ପହଞ୍ଚାଉଛି।

ଏହି ନିବେଶ ସମ୍ପର୍କରେ ଆରଆରଭିଏଲ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ, ଭାରତର ସମସ୍ତଙ୍କ ନିକଟରେ ଡିଜିଟାଲ୍ ସେବା ଉପଲବ୍ଧ କରାଇବା ନେଇ ରହିଥିବା ପ୍ରତିବଦ୍ଧତାର ଅଂଶସ୍ୱରୂପ ଏହି ନିବେଶ କରାଯାଇଛି। ନେଟମେଡସକୁ ସାମିଲ କରାଯାଇଥିବାରୁ ଉତ୍ତମ ଗୁଣବତ୍ତା ଏବଂ ସୁଲଭ ମୂଲ୍ୟର ସ୍ୱାସ୍ଥ୍ୟ ସେବା ଓ ଉତ୍ପାଦ ପ୍ରଦାନ କରିବାରେ ରିଲାଏନ୍ସ ରିଟେଲସର ଦକ୍ଷତା ବୃଦ୍ଧି ହେବା ସହ ଗ୍ରାହକଙ୍କ ଅଧିକାଂଶ ଆବଶ୍ୟକତା ପୂରଣ କରି ଡିଜିଟାଲ ବାଣିଜ୍ୟ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯାଇପାରିବ ବୋଲି ସେ କହିଛନ୍ତି।