ଭାରତ ଗସ୍ତରେ ନେପାଳ ବିଦେଶମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ନେପାଳର ବିଦେଶମନ୍ତ୍ରୀ ପ୍ରଦୀପ ଗ୍ୱାୱାଲି ଦୁଇଦିନିଆ ଭାରତ ଗସ୍ତରେ ଆସି ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ରହଣିକାଳରେ ସେ ଭାରତୀୟ ପ୍ରତିପକ୍ଷ ଏସ.ଜୟଶଙ୍କରଙ୍କୁ ଶୁକ୍ରବାର ଭେଟିବାର କାର୍ଯ୍ୟକ୍ରମ ରହିଛି। ନେପାଳକୁ କୋଭିଡ୍ ଟିକା ଯୋଗାଣ ସମେତ ନେପାଳ-ଭାରତ ସୀମା ବିବାଦ ସଂକ୍ରାନ୍ତରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ଭାରତର ସୀମା ସଂଲଗ୍ନ ତିନିଟି ଗ୍ରାମ ଯଥା କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ପୁଣି ନେପାଳରେ ମିଶ୍ରଣ କରାଯିବ ବୋଲି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କିଛି ଦିନ ପୂର୍ବେ ମନ୍ତବ୍ୟ ଦେବାପରେ ଦ୍ୱିପାକ୍ଷିକ ସମ୍ପର୍କ ପୁଣି ନିମ୍ନଗାମୀ ହୋଇଛି। ନେପାଳ ସଂସଦ ଭଙ୍ଗପରେ ଗ୍ୱାୱାଲିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ ବୋଲି ନେପାଳ ଦୂତାବାସ ପକ୍ଷରୁ କୁହାଯାଇଛି।