ନେପାଳକୁ ପୁଣି ୧୦ ଲକ୍ଷ କୋଭିସିଲ୍ଡ ଟିକା ଦେଲା ଭାରତ

କାଠମାଣ୍ଡୁ, ଏଜେନ୍ସି: ଭାରତ ପକ୍ଷରୁ ପଡୋଶୀ ନେପାଳକୁ ଦ୍ୱିତୀୟ ଦଫାରେ ଆଉ ୧୦ ଲକ୍ଷ କୋଭିଡ୍ ଟିକା ଯୋଗାଇ ଦିଆଯାଇଛି। ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ୧୦ ଲକ୍ଷ ଡୋଜ୍ ରବିବାର ତ୍ରିଭୁବନ ବିମାନବନ୍ଦରରେ ପହଞ୍ଚିଥିବା ଜଣାପଡିଛି। ସୂଚନାଯୋଗ୍ୟ ଭାରତ ପକ୍ଷରୁ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ନେପାଳକୁ ପ୍ରଥମ ଦଫାରେ ୧୦ ଲକ୍ଷ ମାଗଣା କୋଭିସିଲ୍ଡ ଟିକା ପଠାଯାଇଥିଲା। ଏହା ପାଇବାପରେ ନେପାଳରେ ଜାନୁଆରୀ ୨୭ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ନେପାଳର ଆଗଧାଡିର ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ନର୍ସଙ୍କୁ ସାମିଲ କରାଯାଇଥିଲା। ବର୍ତ୍ତମାନ ଭାରତ ନିକଟରୁ ଆଉ ୧୦ ଲକ୍ଷ ଡୋଜ୍ ମିଳିବାପରେ ମାର୍ଚ୍ଚ ପହିଲାରୁ ନେପାଳରେ ୫୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

ତେବେ ଦ୍ୱିତୀୟ ଦଫାରେ ନେପାଳ ପ୍ରତ୍ୟେକ କୋଭିସିଲ୍ଡ ଟିକାକୁ ୪ ଡଲାର ମୂଲ୍ୟରେ କିଣିଛି ବୋଲି ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ହୃଦୟେଶ ତ୍ରିପାଠୀ ଜଣାଇଛନ୍ତି। ଏପର୍ଯ୍ୟନ୍ତ ନେପାଳରେ ୨,୭୩,୩୫୧ ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବାବେଳେ ୨,୭୦,୦୦୦ ସୁସ୍ଥ ହୋଇଛନ୍ତି ଏବଂ କୋଭିଡରେ ୨୦୬୧ ଜଣ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ଚୀନ୍ କମ୍ପାନୀ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକାକୁ ଜରୁରୀ ପରିସ୍ଥିତିରେ ବ୍ୟବହାର ନିମନ୍ତେ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭାକ୍ସିନ୍ ଓ ରୁଷ ନିର୍ମିତ ସ୍ପଟନିକ୍ ଟିକାକୁ ନେପାଳ ସରକାର ଏପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି।