କରୋନା ଡ୍ୟୁଟିରେ ଅବହେଳା: କନିଷ୍ଠ ଯନ୍ତ୍ରୀ ସସପେଣ୍ଡ

ରାୟଗଡ଼ା,ଏନ୍ଏନ୍ଏସ୍: କରୋନା ଡ୍ୟୁଟିରେ ଅବହେଳା କରିଥିବା ଅଭିଯୋଗରେ ଚନ୍ଦ୍ରପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଏଲ. ରବି କୁମାରଙ୍କୁ ସସପେଣ୍ଡ କରିଛନ୍ତି ଜିଲ୍ଲାପାଳ। ଏହାସହ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀ ବେହେରାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ପଞ୍ଚାୟତରାଜ ବିଭାଗକୁ ଚିଠି ଲେଖିଛନ୍ତି । କରୋନା ମୁକାବିଲା ପାଇଁ ପ୍ରଶାସନିକ ଅଧିକାରୀ, ବ୍ଲକ୍ କର୍ତ୍ତୃପକ୍ଷ ୨୪ ଘଣ୍ଟିଆ ଆଲର୍ଟ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାରେ ସଂକ୍ରମଣ ହାର ଦିନକୁ ଦିନ ବଢ଼ି ଚାଲିଥିବାରୁ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଲାଗି ପଡ଼ିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ, ଗୁଣପୁର ଉପଜିଲ୍ଲାପାଳ ଡ.  ସିଧେଶ୍ୱର ବଳିରାମ ବନ୍ଦର କୋଭିଡ଼୍ ପରିଚାଳନା କରୁଥିବା ବେଳେ ଚନ୍ଦ୍ରପୁର ବ୍ଲକ୍ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ଆଣ୍ଟିଜେନ କିଟ୍ ଦ୍ୱାରା ସ୍ୱାବ ପରୀକ୍ଷା କରାଯାଉଥିବାରୁ ପ୍ରତି ବ୍ଲକର ଦୁଇଟି ସ୍ଥାନରେ ସ୍ୱାବ ପରୀକ୍ଷଣ କେନ୍ଦ୍ର ଖୋଲା ଯାଇଛି। ଚନ୍ଦ୍ରପୁର ବ୍ଲକର ଚନ୍ଦ୍ରପୁର ଓ ଡାଙ୍ଗସୋରଡ଼ାରେ କେନ୍ଦ୍ର ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ବ୍ଲକର ସମସ୍ତ ପଞ୍ଚାୟତ ଓ ଗ୍ରାମ୍ୟସ୍ତରର ଲୋକଙ୍କୁ ସ୍ୱାବ ପରୀକ୍ଷଣ ଦିଗରେ ପ୍ରବର୍ତ୍ତାଇବା ପାଇଁ ଜିଲ୍ଲାପାଳ ଶ୍ରୀ ବେହେରା ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଚନ୍ଦ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ, ଗୁଣପୁର ଉପଜିଲ୍ଲାପାଳ ଡ. ସିଦେ୍ଧଶ୍ୱର ବଳିରାମ ବନ୍ଦର ଚନ୍ଦ୍ରପୁର ଗସ୍ତରେ ଯାଇଥିବାବେଳେ ଉଭୟ ଅଧିକାରୀ ଅନୁପସ୍ଥିତ ଥିବା ଜାଣି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଫଳରେ ଜିଲ୍ଲାପାଳ କନିଷ୍ଠ ଯନ୍ତ୍ରୀଙ୍କୁ ସସପେଣ୍ଡ କରିବା ସହ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ପଞ୍ଚାୟତରାଜ ବିଭାଗକୁ ଚିଠି ଲେଖିଛନ୍ତି।