ମହାରାଷ୍ଟ୍ର ମହାନାଟକ: ଏନ୍‌ସିପିର ୯ ନେତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପିଟିସନ ଦାୟର

ମୁମ୍ବାଇ: ରବିବାର ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଥିଲା ମହାନାଟକ । ମାତ୍ର କେଇ ଘଣ୍ଟା ମଧ୍ୟରେ ବଦଳିଯାଇଥିଲା ରାଜନୈତିକ ପାଣିପାଗ । ଦୁଇ ଫାଳ ହୋଇଯାଇଥିଲା ଏନସିପି । ୪୦ ବିଧାୟକଙ୍କ ସହିତ ସିନ୍ଦେ ସରକାରରେ ସାମିଲ ହୋଇଥିଲେ ଏନସିପି ବରିଷ୍ଠ ନେତା ଅଜିତ ପାୱାର । କିଛି ସମୟ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ଗ୍ରହଣ ମଧ୍ୟ କରିଥିଲେ । ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ମନ୍ତ୍ରୀ ପଦରେ ଶପଥ ନେଇଥିଲେ । ଏବେ ସେହି ୯ ନେତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଏନସିପି ତରଫରୁ ଏକ ପିଟିସନ ଦାୟର ହୋଇଛି ।

ଏନସିପି ନେତା ଜୟନ୍ତ ପାଟିଲ କହିଛନ୍ତି, “ଏହି ୯ ନେତାଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆମେ ବାଚସ୍ପତିଙ୍କ ନିକଟରେ ଯାଚିକା ଦାୟର କରିଛୁ ଏବଂ ଖୁବଶୀଘ୍ର ହାର୍ଡ କପି ମଧ୍ୟ ପଠାଇବୁ । ଦଳ ଛାଡି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହୋଇଥିବା ୯ ନେତାଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ପିଟିସନରେ ଉଲ୍ଲେଖ ରହିଛି । ସେମାନେ ଏନସିପି ଛାଡୁଛନ୍ତି ବୋଲି କାହାକୁ ଅବଗତ କରାଇ ନଥିଲେ । ଏ ବିଷୟରେ ଆମେ ଭାରତର ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଏକ ଚିଠି ଲେଖିଛୁ । ଆମର ବିଶ୍ବାସ ଅନେକ ବିଧାୟକ ଏନସିପିକୁ ଫେରି ଆସିବେ । ଆମେ ସେମାନଙ୍କୁ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ ।’’

ଶପଥ ଗ୍ରହଣ କରିବା ପରେ ଅଜିତ ପାଓ୍ବାର କହିଥିଲେ, ‘‘ପୁରା ଏନସିପି ମୋ ସହ ରହିଛି । ଏନସିପି ଚିହ୍ନରେ ହିଁ ଆଗାମୀ ସମସ୍ତ ନିର୍ବାଚନ ଲଢିବେ । ସମସ୍ତ ବରିଷ୍ଠ ନାଗରିକଙ୍କୁ ମଧ୍ୟ ଏ ବିଷୟରେ ଆମେ ଅବଗତ କରାଇ ଦେଇଛୁ । ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଆମ ଦଳ ୨୪ ବର୍ଷ ପୁରୁଣା ଏବଂ ଯୁବ ନେତା ମାନେ ଆଗକୁ ଆସିବା ଉଚିତ ବୋଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଅଜିତ ପାୱାର କହିଥିଲେ ।