ନୂଆଦିଲ୍ଲୀ: ଟାଟା ସମୂହର ମ୍ୟାନେଜମେଣ୍ଟକୁ ନ୍ୟାସନାଲ୍ କମ୍ପାନୀ ଲ’ ଅପିଲିଏଟ୍ ଟ୍ରିବ୍ୟୁନାଲ୍ (ଏନସିଏଲଏଟି) ତରଫରୁ ବଡ଼ଧରଣର ଝଟକା ମିଳିଛି। ଟାଟା ସନ୍ସର ଅଧ୍ୟକ୍ଷ ପଦବୀରୁ ପୂର୍ବରୁ ସାଇରସ୍ ମିସ୍ତ୍ରୀଙ୍କୁ ହଟାଇ ଦିଆଯାଇଥିବାବେଳେ ଏନସିଏଲଟି ପକ୍ଷରୁ ବର୍ତ୍ତମାନ ଏହି ନିଷ୍ପତ୍ତିକୁ ଅବୈଧ ଘୋଷଣା କରାଯାଇଛି। ଏଥିସହ ତାଙ୍କୁ ଏହି ପଦବୀରେ ପୁନଃଅବସ୍ଥାପିତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏନ୍ ଚନ୍ଦ୍ରଶେଖରନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେବା ନିଷ୍ପତ୍ତିକୁ ମଧ୍ୟ ଅବୈଧ ଘୋଷଣା କରାଯାଇଛି।
ସାଇରସ୍ ମିସ୍ତ୍ରୀଙ୍କ ପାଇଁ ଏହା ଏକ ବୃହତ୍ ବିଜୟ ବୋଲି ଉଲ୍ଲେଖ କରାଯାଇଛି। ଏହି ବିଜୟ ପରେ ଦୀର୍ଘ ୩ ବର୍ଷ ପରେ ସେ ପୁନଶ୍ଚ ଟାଟା ସନ୍ସର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିବେ। ପୁନଶ୍ଚ ଟାଟା ସନ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେବା ଲାଗି ବୁଧବାର ଏନସିଏଲଏଟି ପକ୍ଷରୁ ଜାରି କରାଯାଇଥିବା ଆଦେଶରେ ସୂଚିତ କରାଯାଇଛି। ଚନ୍ଦ୍ରଶେଖରନ୍ ୨୦୧୭ ଫେବୃଆରୀରେ କମ୍ପାନୀର ଅଧ୍ୟକ୍ଷ ରୂପେ ଦାୟିତ୍ୱ ନେଇଥିଲେ। ଏନସିଏଲଏଟିର ଏହି ନିଷ୍ପତ୍ତି ବିରୋଧରେ ଅପିଲ୍ କରିବା ଲାଗି ଟାଟା ସନ୍ସ ୪ ସପ୍ତାହ ସମୟ ମାଗିଥିବାବେଳେ ଟ୍ରିବ୍ୟୁନାଲ୍ ଏହାକୁ ମଞ୍ଜୁରୀ ଦେଇଛନ୍ତି।
୨୦୧୬ ଅକ୍ଟୋବରରେ ଟାଟା ସନ୍ସର ଅଧ୍ୟକ୍ଷ ପଦବୀରୁ ସାଇରସ୍ ମିସ୍ତ୍ରୀଙ୍କୁ ଅବ୍ୟାହତି ଦିଆଯାଇଥିଲା। ଏହାର ଦୁଇମାସ ପରେ ମିସ୍ତ୍ରୀଙ୍କ ତରଫରୁ ତାଙ୍କ ପରିବାରକୁ ସାଇରସ୍ ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଷ୍ଟର୍ଲିଂ ଇନଭେଷ୍ଟମେଣ୍ଟ କର୍ପ ଆଦି ଦୁଇଟି ନିବେଶ କମ୍ପାନୀ ଟାଟା ସନ୍ସର ନିଷ୍ପତ୍ତିକୁ ବିରୋଧ କରି ନ୍ୟାସ୍ନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ (ଏନସିଏଲଟି)ର ମୁମ୍ବାଇ ଖଣ୍ଡପୀଠରେ ଚ୍ୟାଲେଞ୍ଜ୍ କରିଥିଲେ। କମ୍ପାନୀର ନିୟମ ବିରୋଧରେ ଯାଇ ମିସ୍ତ୍ରୀଙ୍କୁ ହଟାଇବା ନିଷ୍ପତ୍ତି ନିଆଯାଇଛି ବୋଲି ଏହି କମ୍ପାନୀଦ୍ୱୟ ଦାବି କରିଥିଲେ। ମାତ୍ର ୨୦୧୮ ଜୁଲାଇରେ ଏନସିଏଲଟି ଏହି ଦାବିକୁ ଖାରଜ କରିଦେଇଥିଲା। ଏହାପରେ ସ୍ୱୟଂ ସାଇରସ୍ ମିସ୍ତ୍ରୀ ଏନସିଏଲଟିର ଏହା ବିରୋଧରେ ଅପିଲ୍ କରିଥିଲେ।
୨୦୧୮ ଜୁଲାଇ ୯ର ନିଷ୍ପତ୍ତିରେ ଏନସିଏଲଟି କହିଥିଲା ଯେ, ଟାଟା ସନ୍ସର ବୋର୍ଡ ସାଇରସ୍ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦବୀରୁ ହଟାଇବା ପାଇଁ ସକ୍ଷମ ଥିଲା। କମ୍ପାନୀର ବୋର୍ଡ ଏବଂ ବଡ଼ବଡ଼ ଅଂଶଧାରକଙ୍କୁ ତାଙ୍କ ଉପରେ ବିଶ୍ୱାସ ନଥିବାରୁ ତାଙ୍କୁ ଏହି ପଦବୀରୁ ହଟାଯାଇଥିଲା। ୨୦୧୨ରେ ରତନ ଟାଟାଙ୍କ ଅବସର ପରେ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଷଷ୍ଠ ଅଧ୍ୟକ୍ଷ ରୂପେ ଦାୟିତ୍ୱ ନେଇଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ଟାଟା ସନ୍ସର ସମସ୍ତ ଗ୍ରୁପ୍ କମ୍ପାନୀର ଶେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଟାଟା ମୋଟର୍ସର ଶେୟାରରେ ୩% ହ୍ରାସ ଘଟିଥିବାବେଳେ ଏହା ୧୭୫ ଟଙ୍କା ପ୍ରତି ଶେୟାର ରହି ବନ୍ଦ ହୋଇଥିଲା। କମ୍ପାନୀର ଶେୟାର ସକାଳେ ପ୍ରତି ଶେୟାର ପିଛା ୧୮୫ ଟଙ୍କାରେ କାରବାର କରୁଥିଲା। ସେହିପରି ଟାଟା ଗ୍ଲୋବାଲ୍ ବେଭେରେଜେସର ଶେୟାର ୩.୫%, ଟାଟା କେମିକାଲ୍ସର ଶେୟାର ୧.୯୩% ଏବଂ ଟାଟା ପାୱାରର ଶେୟାର ୧.୪୩% ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ମାତ୍ର ଏହି ଫଳାଫଳ ଦ୍ୱାରା ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଏବଂ ଟାଟା ଷ୍ଟିଲ୍ ଆଦି କମ୍ପାନୀ ଉପରେ କୌଣସି ପ୍ରଭାବ ପଡ଼ିନାହିଁ।