ମଦବେପାରୀଙ୍କୁ ହତ୍ୟା ଘଟଣା, ସନ୍ଦିଗ୍ଧ ଅଭିଯୁକ୍ତ କରୋନା ପଜିଟିଭ

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଟାଉନଥାନା ଡିଆଁପଡ଼ା ଗ୍ରାମରେ ଗତମାସ ୨ ତାରିଖରେ ଜଣେ ମଦବେପାରୀଙ୍କୁ  ହତ୍ୟା ଘଟଣାରେ ତାଙ୍କ ସାନପୁଅ ତଥା ସନ୍ଦିଗ୍ଧ ଅଭିଯୁକ୍ତକୁ ପୁଲିସ ଆଜି ଧରିଛି।  ତାଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ରିର୍ପୋଟ ପଜିଟିଭ ଆସିଛି। ସୂଚନା ଅନୁସାରେ, ଡିଆଁପଡ଼ା ଗ୍ରାମ ନିକଟରେ ଥିବା ଜଙ୍ଗଲ ନିକଟରେ ପ୍ରହଲ୍ଲାଦ ଜେନା (୬୫)ଙ୍କୁ ଶିଳରେ ଛେଚି ହତ୍ୟା କରାଯାଇଥିଲା।  ବଡ଼ପୁଅ ବାସୁଦେବ ଜେନାଙ୍କ ଅଭିଯୋଗକୁ ଭିତ୍ତିକରି  ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଏହି ଘଟଣାରେ ନାବାଳକ ସାନପୁଅର ହାତଥିବା ସନ୍ଦେହ କରିଥିଲା। ପୁଲିସ ତାଙ୍କୁ ହେପାଜତକୁ ନେବା ପୂର୍ବରୁ ସେ ରାଜ୍ୟ ବାହାରକୁ ଫେରାର ହୋଇ ଯାଇଥିଲା। ବିଭିନ୍ନ ରାଜ୍ୟ ବୁଲିବୁଲି  ଓଡ଼ିଶା ଫେରିଥିବା ବେଳେ ଆଜି ଟାଉନ ପୁଲିସ ତାଙ୍କୁ ଧରି କରୋନା ପରୀକ୍ଷା କରାଇଥିଲା।  ରିର୍ପୋଟ ପଜିଟିଭ୍ ଆସିବା ସହ ସାମାନ୍ୟ ଲକ୍ଷଣ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠା ଯାଇଥିବା ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି। ସେ ସୁସ୍ଥ ହୋଇ ଫେରିବା ପରେ ପଚରାଉଚରା କରାଯାଇ ଆବଶ୍ୟକ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।