ନକ୍ସଲ ବିରୋଧରେ ଆହ୍ୱାନ ଦେଲେ ସ୍ୱାଭିମାନ ଅଞ୍ଚଳବାସୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ପୁଣି ଥରେ ଅଣ୍ଟା ଭିଡିଲେ ଶହ ଶହ ଆଦିବାସୀ ଲୋକେ । ପ୍ରଥମ କରି ବିକାଶ ମୁହାଁ ହେଲେ ସ୍ବାଭିମାନ ଅଞ୍ଚଳବାସୀ । ରାଜ୍ୟ ସରକାର କେବଳ ଗୁରୁପ୍ରିୟା ସେତୁ ନିର୍ମାଣ କରି ଆଦିବାସୀଙ୍କ ଅନ୍ୟ ଅସୁବିଧା ଭୁଲିଯାଇଥିବା ଅଭିଯୋଗ ହୋଇଛି । ସ୍ବାଭିମାନ ଅଞ୍ଚଳରେ ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟ ଓ କଲେଜ ସ୍ଥାପନ ପାଇଁ ଦାବି ହୋଇଛି । ଏହା ସହ ଆଦିବାସୀ ଲୋକଙ୍କୁ ଠିକ୍ ସମୟରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ବାଭିମାନ ଅଞ୍ଚଳରେ ଏକ ଡାକ୍ତରଖାନା ନିର୍ମାଣ ଲାଗି ମଧ୍ୟ ଦାବି ହୋଇଛି ।

ଏହା ସହ ଜଙ୍ଗଲ ଜମିପଟ୍ଟା ସହ ଜାତିଗତ ପ୍ରମାଣ ପତ୍ର ନଥିବାରୁ ଆଦିବାସୀ ପିଲାମାନେ ଆଶ୍ରମ ବିଦ୍ୟାଳୟରେ ପାଠ ପଢି ପାରୁନାହାଁନ୍ତି । ଦୀର୍ଘ ବର୍ଷ ଧରି ବିଚ୍ଛିନ୍ନାଞ୍ଚଳରେ ରାଜୁତି କରୁଥିବା ମାଓବାଦୀଙ୍କ ପ୍ରଜାକୋର୍ଟ ଛାଡିଦେଇଛୁ ବୋଲି ହାତରେ ପ୍ଲା କାର୍ଡ ଧରି ସ୍ଲୋଗାନ ଦେଉଥିବା ଶହ ଶହ ଆଦିବାସୀ ଲୋକେ ତୁରନ୍ତ ସ୍ବାଭିମାନ ଅଞ୍ଚଳ ପ୍ରତି ଦୃଷ୍ଟି ଦେବା ଲାଗି ସରକାରଙ୍କୁ ଦାବି କରିଛନ୍ତି ।