ନକ୍ସଲ ଅପରେସନ ସୁରକ୍ଷା ପରାମର୍ଶଦାତାଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଣ୍ଟି ନକ୍ସଲ ଅପରେସନ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାର ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପ୍ରଥମେ ସେ ଆଜି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା ବିଏସଏଫ୍ କ୍ୟାମ୍ପ୍ ପରିଦର୍ଶନ କରି ମାଓଦମନ ନେଇ ଆଲୋଚନା କରିଛନ୍ତି। ଏହାପରେ ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଆଗାମୀ ଦିନର ରଣନୀତି, ସୁରକ୍ଷାକର୍ମୀ ମୁତୟନ ସହ ମାଓ ଦମନ ନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମୁଁ ଯେବେ ମଧ୍ୟ ଆସୁଛି ଉନ୍ନତି ଘଟିବାରେ ଲାଗିଛି।

ବିଶେଷ କରି ରାସ୍ତା ନିର୍ମାଣ ସହ ଉନ୍ନୟନ କାର୍ଯ୍ୟ ଓ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଛି। ସ୍ଥାନୀୟ ପୋଲିସ ଓ ବିଏସଏଫ ମଧ୍ୟରେ ଭଲ ସମନ୍ୱୟ ରହିଛି। ଏହି ଅଞ୍ଚଳରେ ସୁରକ୍ଷା ଓ ଉନ୍ନୟନ ଅଧିକ ହେବାର ଆବଶ୍ୟକତା ରହିଛି। ଏଠାକାର ରାଜ୍ୟ ସରକାରଙ୍କ ସହଯୋଗ ଓ ସୁରକ୍ଷାକର୍ମୀଙ୍କ ସହଭାଗିତା ବହୁତ ଭଲ ରହିଛି। ଉନ୍ନୟନମୂଳକ କାର୍ଯ୍ୟ ଓ ଉନ୍ନୟନ କ୍ଷେତ୍ରରେ ବହୁ ଅଗ୍ରଗତି ଘଟିଛି। ଆଗାମୀ ଦିନରେ ଅଧିକ ଉନ୍ନତି ହେବା ସହ ଶାନ୍ତି ପ୍ରତିିଷ୍ଠା ହୋଇପାରିବ ବୋଲି ଏଂଟି ନକ୍ସଲ ଅପରେସନ ସୁରକ୍ଷା ପରାମର୍ଶଦାତା ଶ୍ରୀ କୁମାର ଆଶା ପ୍ରକଟ କରିଛନ୍ତି। ଏହି ଗସ୍ତ ବେଳେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ କେ ଅହମ୍ମଦ ଓ ବିଏସଏଫ ଡିଆଇଜି ଏସପିଏସ ସାନ୍ଧୁ ଉପସ୍ଥିତ ଥିଲେ।