ଚୀନର ମୁକାବିଲା ପାଇଁ ନୌସେନା ପ୍ରସ୍ତୁତ

ନୂଆଦିଲ୍ଲୀ, ଏଜେନ୍ସି: ଭାରତର ଉତ୍ତରସୀମା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ରେ ଚୀନ୍ ସ୍ଥିତାବସ୍ଥା ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ କୋଭିଡ୍ ମହାମାରୀ ସୁରକ୍ଷା ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଏହା ସତ୍ୱେ ଭାରତୀୟ ନୌସେନା ଏହି ପରିସ୍ଥିତିର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂ ଗୁରୁବାର କହିଛନ୍ତି। ନୌସେନା ଦିବସ ଅବ୍ୟବହିତ ପୂର୍ବରୁ ଆଡମିରାଲ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଉତ୍ତରାଞ୍ଚଳ ସୀମାରେ ନୌସେନା ପକ୍ଷରୁ ପି-୮ ପୋସେଡୋନ୍ ଲଢୁଆ ବିମାନ ଓ ହେରୋନ ଡ୍ରୋନ ମୁତୟନ କରାଯାଇଛି। ଆଡ୍ମିରାଲ ସିଂହ ଆହୁରି କହିଛନ୍ତି, ଭବିଷ୍ୟତରେ ନୌସେନା ପାଇଁ ନିର୍ମାଣ ହେବାକୁ ଥିବା ୪୩ ଯୁଦ୍ଧ ଜାହାଜ ଏବଂ ବୁଡ଼ା ଜାହାଜ ମଧ୍ୟରୁ ୪୧ଟି ଭାରତରେ ନିର୍ମାଣ ହେବ, ଯେଉଁଥିରେ ସ୍ୱଦେଶୀ ବିମାନ ବାହକ ଜାହାଜ ବି ସାମିଲ ହେବ। ଆତ୍ମନିର୍ଭର ଭାରତ ଅଭିଯାନକୁ ଦୃଷ୍ଟିରେ ରଖି ଏପରି କରାଯାଉଛି।

ନୌସେନାରେ ମହିଳା ଅଧିକାରୀମାନଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ ନୌସେନାଧ୍ୟକ୍ଷ କହିଥିଲେ ଯେ, ଗତ ନଭେମ୍ବରରେ ଭାରତୀୟ ନୌସେନା ୪ ମହିଳା ଅଧିକାରୀଙ୍କୁ ନିୟୋଜିତ କରିଛି। ୨ ମହିଳା ଅଧିକାରୀଙ୍କୁ ମାଳଦ୍ୱୀପ ଏବଂ ରୁଷ୍ରେ ନିଯୁକ୍ତ କରାଯାଇଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତୀୟ ନୌସେନା ମଜଭୂତ ହୋଇ ଛିଡ଼ା ହେବା ଲାଗି ଦୃଢ ସଙ୍କଳ୍ପବଦ୍ଧ ବୋଲି ସେ କହିଥିଲେ। ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନା ସହିତ ନୌସେନା ମିଶି କାମ କରୁଛି ବୋଲି ଆଡମିରାଲ କରମବୀର ସିଂ ଗଣମାଧ୍ୟମକୁ କହିଛନ୍ତି।