ପୂଜାବେଳେ ସଂପୂର୍ଣ୍ଣ ସତର୍କ ରହିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢ଼େଇ ଲକ୍ଷରେ ପହଞ୍ଚିଛି । ତଥାପି ଆତ୍ମସନ୍ତୋଷ ହେବାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରାଇଛନ୍ତି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧାମାନଙ୍କ କଠିନ ପରିଶ୍ରମ ଏବଂ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ ଯୋଗୁଁ ରାଜ୍ୟରେ କ୍ରମାଗତ ଭାବେ ନୂଆ କୋଭିଡ ସଂକ୍ରମଣ କମୁଛି । ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ହେବା ସହିତ ସମସ୍ତ କୋଭିଡ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ କୋଭିଡ ସଂପର୍କରେ ଜନସଚେତନତା ପାଇଁ ବ୍ୟାପକ ସୂଚନା ଅଭିଯାନ ଜାରି ରଖିବା ସହିତ କୌଣସି କ୍ଷେତ୍ରରେ ସାମାନ୍ୟ ଅବହେଳା କରାଯିବା ଉଚିତ ନୁହେଁ । ଅନ୍ୟାନ୍ୟ ଜଟିଳ ରୋଗ ଥିବା ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକ୍ରମ ଯେପରି ଅବିରତ ଭାବେ ଜାରି ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଶିଳ୍ପ ସଂସ୍ଥା ଗୁଡ଼ିକ ନିର୍ବିଘ୍ନରେ ଯେପରି ସେମାନଙ୍କ ଉତ୍ପାଦନ ଜାରି ରଖିବେ, ପୁଞ୍ଜି ବିନିଯୋଗ କାର୍ଯ୍ୟକାରୀ ହେବ, ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ଓ ସେମାନଙ୍କ ପରିବାରକୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ ।